ପ୍ରମୁଖ ସହର ହରାଇଥିବା ସ୍ବୀକାର କଲା ୟୁକ୍ରେନ୍‌: ଡୋନେସ୍କରେ ବୋମାମାଡ଼ ଜାରି, ପ୍ରାଣ ବିକଳରେ‌ ଖେରସନ୍‌ ଛାଡ଼ୁଛନ୍ତି ଲୋକ

କିବ୍‌ : ପୂର୍ବ ୟୁକ୍ରେନ୍‌ରେ ରୁଷ୍‌ ଆକ୍ରମଣ ଦିନକୁ ଦିନ ଜୋରଦାର ହେଉଛି। ପୂର୍ବାଞ୍ଚଳରେ ରୁଷ୍‌ ଅନେକ ସହର ଦଖଲ କରିନେଇଛି ବୋଲି ୟୁକ୍ରେନ୍‌ ସେନାବାହିନୀ ସ୍ବୀକାର କରିଛନ୍ତି। ୩ ପଟୁ ଜୋରଦାର ଗୋଳାବର୍ଷା ଏବଂ ବୋମାବର୍ଷା ହେଉଛି। ୟୁକ୍ରେନ୍‌ ପୂର୍ବରେ ୪୦ରୁ ଅଧିକ ସହର ହରାଇଥିଲେ ମଧ୍ୟ ଏବେ ବି ଡୋନେସ୍କ ଏବଂ ଲୁହା‌ଂସ୍କ‌ର ବ୍ୟାପକ ଅଂଚଳ ୟୁକ୍ରେନ୍‌ ନିଜ ନିୟନ୍ତ୍ରଣରେ ରଖିଥିବା ଦାବି କରିଛି। ଗତକାଲି ରୁଷ୍‌ର ୯ଟି ଟ୍ୟାଙ୍କ୍‌ ଏବଂ ୧୧ ଆର୍ଟିଲେରି ସିଷ୍ଟମ୍‌ ଧ୍ବଂସ କରିଥିବା ୟୁକ୍ରେନ୍‌ ଦାବି କରିଛି। ଡୋନେସ୍କରେ ରୁଷ୍‌ର ବୋମାବର୍ଷା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ଡୋନେସ୍କରେ ରୁଷ୍‌ କ୍ଷେପଣାସ୍ତ୍ର ମାଡ଼ରେ ସ୍କୁଲ୍‌, ହସ୍ପିଟାଲ୍‌ ଏବଂ ଅନ୍ୟ ଅନୁଷ୍ଠାନଗୁଡ଼ିକ ଧ୍ବଂସ ହୋଇଯାଇଛି। ଅନ୍ୟପକ୍ଷେ ଖେରସନ୍‌ ଦଖଲ କରିଥିବା ରୁଷ୍‌ ପ୍ରଚଣ୍ଡ ଆକ୍ରମଣ କରି ୟୁକ୍ରେନ୍‌ ସେନାକୁ ଘଉଡ଼ାଇବାରେ ଲାଗିଛି।

ସାଧାରଣ ଜନତା ପ୍ରାଣ ବିକଳରେ ଖେରସନ୍‌ ଛାଡ଼ି ଦେଉଛନ୍ତି। ଲୋକେ ଚାଲିଚାଲି, ସାଇକେଲ୍‌ ଏବଂ ନିଜ ଗାଡ଼ିରେ ଖେରସନ୍‌ ଛାଡ଼ୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ୟୁକ୍ରେନ୍‌ ସୀମା ସଂଲଗ୍ନ ରୁଷ୍‌ରେ ଆଜି ୩ଟି ଅଞ୍ଚଳରେ ବିସ୍ଫୋରଣ ହୋଇଛି। ଯୁଦ୍ଧକୁ ୬୩ ଦିନ ପୂରିଥିବାବେଳେ ଏପ୍ରିଲ ୨୬ ସୁଦ୍ଧା ୟୁକ୍ରେନ୍‌‌ରେ ୫,୮୪୦ ଜଣ ମୃତାହତ ହୋଇଥିବା ହୋଇଥିବା ଜାତିସଂଘ ରିପୋର୍ଟ କହୁଛି। ୟୁକ୍ରେନ୍‌ରେ ପାଶ୍ଚାତ୍ୟ ରାଷ୍ଟ୍ରର ଅସ୍ତ୍ର ଏବେ ରୁଷ୍‌ର ମୁଖ୍ୟ ଟାର୍ଗେଟ୍‌ରେ ରହିଛି ଏବଂ ଏଥିପାଇଁ ରୁଷ୍‌ ୟୁକ୍ରେନ୍‌ର ପରିବହନ ବ୍ୟବସ୍ଥାକୁ ଧ୍ବଂସ କରିବାରେ ଲାଗିଛି। ରେଳ ଷ୍ଟେସନ୍‌, ବିମାନ ବନ୍ଦର, ତୈଳ ଡିପୋ ଏବଂ ପାୱାର ଷ୍ଟେସନ୍‌ଗୁଡ଼ିକୁ ରୁଷ୍‌ ନଷ୍ଟ କରିଚାଲିଛି। ଇତି ମଧ୍ୟରେ ବ୍ରି‌ଟେନ୍‌ ବିଦେଶ ସଚିବ ଲିଜ୍‌ ଟ୍ରସ୍‌ କହିଛନ୍ତି, ପାଶ୍ଚାତ୍ୟ ରାଷ୍ଟ୍ରମାନେ ୟୁକ୍ରେନ୍‌କୁ ଯୁଦ୍ଧବିମାନ ପଠାଇଲେ ହିଁ ୟୁକ୍ରେନ୍‌ ସେନା ରୁଷ୍‌କୁ ସଠିକ୍‌ ଜବାବ ଦେଇପାରିବେ।

ସମ୍ବନ୍ଧିତ ଖବର