ୟୁକ୍ରେନ : ବସ ସହ ୨୦ ଯାତ୍ରୀଙ୍କୁ ମୁଣ୍ଡଜାମିନ ରଖିଲା ବନ୍ଧୁକଧାରୀ ବ୍ୟକ୍ତି

କିଭ : ପୂର୍ବ ୟୁରୋପୀୟ ଦେଶ ୟୁକ୍ରେନରେ ଏକ ଯାତ୍ରୀବାହୀ ବସକୁ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଅପହରଣ କରି ସେଥିରେ ଥିବା ୨୦ ଜଣ ଯାତ୍ରୀଙ୍କୁ ମୁଣ୍ଡଜାମିନ ରଖିଛି । ପୁଲିସ ଉକ୍ତ ବସକୁ ଘେରିଯିବା ସହ ସମୁଦାୟ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି ।

ଘଟଣାଟି ୟୁକ୍ରେନର ରାଜଧାନୀ କିଭଠାରୁ ୪୦୦ କିଲୋମିଟର ଦୂରରେ ଥିବା ସହର ଲସ୍କରେ ଘଟିଛି । ଆଜି ସକାଳେ ବନ୍ଧୁକ ଓ ବିସ୍ଫୋରକ ରଖିଥିବା ଉକ୍ତ ବ୍ୟକ୍ତି ଏକ ଥିଏଟର ନିକଟରେ ଥିବା ଏକ ବସରେ ହଠାତ ପଶି ଯାତ୍ରୀମାନଙ୍କୁ ମୁଣ୍ଡଜାମିନ ରଖିଥିଲା । ଖବର ପାଇଁ ସ୍ଥାନୀୟ ପୁଲିସ ବସକୁ ଘେରିଯିବା ସହ ସଂପୃକ୍ତ ଅଞ୍ଚଳକୁ ସିଲ କରିଦେଇଛି । ଉକ୍ତ ଅଞ୍ଚଳକୁ ସଂଯୋଗ କରିଥିବା ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି । ତେବେ ଏପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିର ଦାବି ସଂପର୍କରେ କିଛି ଜଣାପଡ଼ି ନାହିଁ ।

ସ୍ଥାନୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ ପୁଲିସ ଓ ଉକ୍ତ ବ୍ୟକ୍ତି ମଧ୍ୟରେ ଗୁଳିବିନିମୟ ଶୁଣାଯାଇଛି । ତେବେ କେହି ମୃତାହତ ହୋଇଥିବା ଜଣାପଡ଼ିନାହିଁ । ଉକ୍ତ ବ୍ୟକ୍ତି ନିଜେ ପୁଲିସକୁ କହିଛି ଯେ ସେ ବସରେ ବିସ୍ଫୋରକ ଲଗାଇଦେଇଛି । ୟୁକ୍ରେନ ପୁଲିସ ବିଭାଗର ମୁଖ୍ୟ ଭୋଲିନ ରିଜନ କହିଛନ୍ତି ଯେ ଉକ୍ତ ବ୍ୟକ୍ତିର ଦାବି ଜାଣିବାକୁ ଉଦ୍ୟମ କରାଯାଉଚି । କିନ୍ତୁ ସେ ପୂର୍ବରୁ ଥରେ ଦୁଇଥର ଫୋନ ଉଠାଇଥିଲେ ମଧ୍ୟ ଏବେ ଆଉ ଫୋନ ଉଠାଉନାହିଁ ।

ସମ୍ବନ୍ଧିତ ଖବର