ୟୁକ୍ରେନ ସେନାର ଅତର୍କିତ ଆକ୍ରମଣ, ନିଜ ସୀମା ମଧ୍ୟକୁ ପଳାୟନ କଲେ ରୁଷ ସୈନ୍ୟ

କିବ୍ : ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଅପ୍ରତ୍ୟାଶିତ ମୋଡ଼ ନେବା ଆରମ୍ଭ କରିଛି । ୟୁକ୍ରେନ ସୈନ୍ୟମାନେ ରୁଷ ସୈନ୍ୟଙ୍କ ଉପରେ ଅତର୍କିତ ଆକ୍ରମଣ କରି ସେମାନଙ୍କୁ ଚକିତ କରିଦେଇଛନ୍ତି । ଏପରିକି ରୁଷ ଦ୍ବାରା ଗତ ୬ ମାସ ହେଲା ଅଧିକାର କରାଯାଇଥିବା କେତେକ ଅଂଚଳକୁ ମୁକ୍ତ କରିବାରେ ୟୁକ୍ରେନ ସୈନ୍ୟମାନେ ସଫଳ ହୋଇଛନ୍ତି । କେତେକ ସ୍ଥାନରେ ରୁଷ ସୈନ୍ୟମାନଙ୍କୁ ନିଜ ଦେଶର ସୀମା ମଧ୍ୟକୁ ପଳାୟନ କରିବାକୁ ପଡ଼ିଛି ।

ୟୁକ୍ରେନ ପକ୍ଷରୁ ସୋମବାରଦିନ କୁହାଯାଇଛି ଉତ୍ତର-ପୂର୍ବାଞ୍ଚଳରେ ଥିବା ଖାରକିବ୍ ଅଂଚଳର କେତେକ ଗ୍ରାମକୁ ରୁଷ ସୈନ୍ୟଙ୍କ କବଳରୁ ମୁକ୍ତ କରାଯାଇଛି । ସେସବୁ ଗ୍ରାମ ଗତ ଫେବ୍ରୁଆରି ୨୪ରୁ ରୁଷ ସୈନ୍ୟଙ୍କ କବଜାରେ ଥିଲା । ସୀମାନ୍ତରେ ଥିବା କେତେକ ଗ୍ରାମକୁ ମୁକ୍ତ କରିବା ସହ ୟୁକ୍ରେନ ସେନା ରୁଷ ସୈନ୍ୟଙ୍କୁ ରୁଷ ସୀମା ମଧ୍ୟକୁ ଫେରିଯିବାକୁ ବାଧ୍ୟ କରିଛି । ଗତ ଫେବ୍ରୁଆରି ୨୪ରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଏପରି ହୋଇଛି ବୋଲି ଖାରକିବ୍ ଅଂଚଳର ଗଭର୍ଣ୍ଣର ଏଲେ ସିନେଉବୋଭ୍ କହିଛନ୍ତି ।

ଗତ ରବିବାରଦିନ ରୁଷ ପକ୍ଷରୁ ୟୁକ୍ରେନର କେତେକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରାଯାଇଥିଲା । ଫଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା । କିନ୍ତୁ ସୋମବାରଦିନ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ୍ ପ୍ରାୟ ୮୦ ପ୍ରତିଶତ ବିଦ୍ୟୁତ କେନ୍ଦ୍ରଗୁଡ଼ିକୁ ପୁଣି ଚାଲୁ କରାଯାଇଛି ।

ସମ୍ବନ୍ଧିତ ଖବର