ନୂଆଦିଲ୍ଲୀ: ପୂର୍ବ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ଋଷ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେଇଛି।ଋଷର ସରକାରୀ ଟେଲିଭିଜନ୍ ଚାନେଲରେ ଏକ ଆବେଗପୂର୍ଣ୍ଣ ଅଭିଭାଷଣ ଦେଇ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍।ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କଡ଼ା ଚେତାବନୀ ସତ୍ତ୍ବେ ପୁତିନ୍ ସୋମବାର ବିଳମ୍ବିତ ରାତ୍ରିରେ ଏହି ନିଷ୍ପତ୍ତି ନେଇଛନ୍ତି।
ଏହି ଘଟଣା ପରେ ଯୁକ୍ତରାଷ୍ଟ୍ର ଆମେରିକା ଏହି ଦୁଇ ବିଦ୍ରୋହୀ ଅଞ୍ଚଳ ବିରୋଧରେ ଅର୍ଥନୈତିକ କଟକଣା ଘୋଷଣା କରିଛି। ଏଥିସହ ଆମେରିକାର ବୈଦେଶିକ ବ୍ୟାପାର ବିଭାଗର ମୁଖପାତ୍ର କହିଛନ୍ତି ଯେ ଏହି ସଂକଟକୁ ୟୁକ୍ରେନ୍ ଭିତରକୁ ଟ୍ୟାଙ୍କ ଗଡ଼ିବା ପର୍ଯ୍ୟନ୍ତ କୂଟନୈତିକ ସ୍ତରରେ ସମାଧାନ କରିବାକୁ ଚେଷ୍ଟା କରାଯିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କଟକଣା ନିର୍ଦ୍ଦେଶନାମା ଜାରି କରି ଋଷ ଅନ୍ତର୍ଜାତୀୟ ଆଇନ ଭଙ୍ଗ କରିଛି ଓ ଆମେ ୟୁକ୍ରେନ୍ ଏବଂ ଅନ୍ୟ ବନ୍ଧୁରାଷ୍ଟ୍ର ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି କହିଛନ୍ତି।
ଗତ ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ପୁତିନ୍ କହିଛନ୍ତି, ଦୀର୍ଘଦିନ ଧରି ସ୍ଥଗିତ ରହିଥିବା ଏହି ନିଷ୍ପତ୍ତି ନେବା ବର୍ତ୍ତମାନ ଆବଶ୍ୟକ ହୋଇପଡ଼ିଛି। ପୂର୍ବ ୟୁକ୍ରେନର ଦୋନେସ୍କ ଗଣରାଜ୍ୟ ଓ ଲୋଗାନସ୍କ ଗଣରାଜ୍ୟକୁ ଆମେ ତତ୍କାଳ ସ୍ବାଧୀନ ରାଷ୍ଟ୍ର ଭାବେ ସ୍ବୀକୃତି ଦେଉଛୁ ଏବଂ ସେମାନଙ୍କର ସାର୍ବଭୌମତ୍ବକୁ ମଧ୍ୟକୁ ସ୍ବୀକାର କରୁଛୁ। ଏହାପରେ ସେ ଋଷ ସଂସଦର ଉଚ୍ଚ ସଦନ ଫେଡେରାଲ୍ କାଉନ୍ସିଲକୁ ଏହି ନିଷ୍ପତ୍ତିକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି।
/sambad/media/post_attachments/wp-content/uploads/2021/12/Putin-2.jpg)
ଟେଲିଭିଜନରେ ଏହି ଘୋଷଣା କରିବା ପରେ ପୁତିନ୍ ୟୁକ୍ରେନୀୟ ବିଦ୍ରୋହୀଙ୍କ ସହ ବନ୍ଧୁତା ଏବଂ ସହାୟତା ଚୁକ୍ତି ସ୍ବାକ୍ଷର କରିବାର ଦୃଶ୍ୟ ପ୍ରସାରିତ ହୋଇଛି। ଏଥିସହ ପୁତିନ୍ ପୂର୍ବ ୟୁକ୍ରେନରେ ଋଷ ସମର୍ଥକ ବିଦ୍ରୋହୀଙ୍କ ବିରୋଧରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଏପରି ନ କଲେ ବଡ଼ ଧରଣର ରକ୍ତପାତ ସାମ୍ନା କରିବାକୁ ପଡ଼ିବ ବୋଲି ଧମକ ମଧ୍ୟ ଦେଇଛନ୍ତି।
ଗତକାଲି ଏ ନିଷ୍ପତ୍ତି ସଂକ୍ରାନ୍ତରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ ଓ ଜର୍ମାନ୍ ଚାନ୍ସେଲର୍ ଓଲ୍ଫ୍ ସ୍କୋଲ୍ଜଙ୍କୁ ଜଣାଇ ଦେଇଥିଲେ ରାଷ୍ଟ୍ରପତି ପୁତିନ୍। ତେବେ ପୁତିନଙ୍କ ସହ ଟେଲିଫୋନ୍ ଜରିଆରେ ଆଲୋଚନା ସମୟରେ ଏହି ଦୁଇ ଦେଶର ନେତା ‘ଅସନ୍ତୋଷ’ ପ୍ରକାଶ କରିଥିଲେ ବୋଲି ଜଣାପଡ଼ିଛି। ପାଶ୍ଚାତ୍ୟ ରାଷ୍ଟ୍ରମାନେ ୟୁକ୍ରେନର ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ ନ ଦେବାକୁ ବାରମ୍ବାର ତାଗିଦ କରି ଆସୁଥିଲେ ମଧ୍ୟ ପୁତିନ୍ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୋମବାର ପୁତିନ ତାଙ୍କ ଦେଶର ସୁରକ୍ଷା ପରିଷଦର ସଦସ୍ୟମାନଙ୍କ ମତ ଜାଣିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଋଷର ଏହି ପଦକ୍ଷେପ ୟୁକ୍ରେନର ରାଜଧାନୀ କ୍ବିଭରେ କ୍ଷମତାରେ ଥିବା ପାଶ୍ଚାତ୍ୟ ସମର୍ଥିତ ସରକାରଙ୍କ ସହିତ ମୁହାଁମୁହିଁ ସ୍ଥିତି ଉତ୍ପନ୍ନ କରିଛି। ଏହା ଯୁଦ୍ଧ ଆଡ଼କୁ ମଧ୍ୟ ଗତି କରିପାରେ। ତେଣେ ୟୁକ୍ରେନ୍ ସୀମାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରସମୂହଙ୍କ ଆକଳନ ଅନୁସାରେ, ରୁଷ୍ ୧୫୦,୦୦୦ ସୈନିକ ମୁତୟନ କରିଛି। ପୁତିନଙ୍କ ଏହି ଘୋଷଣା ପରେ ଆମେରିକା କିଭଳି ଭୂମିକା ଗ୍ରହଣ କରୁଛି ତାହା ଉପରେ ପୂରା ବିଶ୍ବର ନଜର ରହିଛି।