ୱାସିଂଟନ୍: ରୁଷ୍- ୟୁକ୍ରେନ୍ ସଙ୍କଟର କୂଟନୈତିକ ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍ ସଙ୍କଟର ସମାଧାନ ଲାଗି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଶିଖର ସମ୍ମିଳନୀ ପାଇଁ ରାଜି ହୋଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଗତକାଲି ପୁଟିନ୍ଙ୍କ ସହ କଥା ହେବାପରେ ଏହି ପ୍ରସ୍ତାବ ସଂକ୍ରାନ୍ତରେ ଘୋଷଣା ହୋଇଛି। ପୁଟିନ ଏବଂ ମାକ୍ରନଙ୍କ ମଧ୍ୟରେ ଗତକାଲି ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। ପ୍ରଥମ ବୈଠକରେ ପୁଟିନ୍ ଏବଂ ମାକ୍ରନ୍ ୧୦୫ ମିନିଟ୍ ଆଲୋଚନା କରିଥିଲେ। ଉଭୟଙ୍କ ମଧ୍ୟରେ ଦ୍ବିତୀୟ ବୈଠକ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଚାଲିଥିଲା। ଏହି ବୈଠକ ପରେ ମାକ୍ରନ୍ ରୁଷ୍ ରାଷ୍ଟ୍ରପତି ପୁଟିନ୍ ଏବଂ ଆମେରିକା ରାଷ୍ଟ୍ରପତି ବାଇଡେନ୍ଙ୍କ ମଧ୍ୟରେ ସମ୍ଭାବ୍ୟ ସମ୍ମିଳନୀ ସଂକ୍ରାନ୍ତରେ ଘୋଷଣା କରିଥିଲେ। ଆଜି ସକାଳେ ମାକ୍ରନ ଆମେରିକା ରାଷ୍ଟ୍ରପତି ବାଇଡେନ୍ଙ୍କ ସହ କଥା ହୋଇଛନ୍ତି। ଖୁବ୍ଶୀଘ୍ର ବାଇଡେନ୍ ଏବଂ ପୁଟିନ୍ଙ୍କ ମଧ୍ୟରେ ଶିଖର ସମ୍ମିଳନୀ ହେବ। ଆସନ୍ତା ଗୁରୁବାର ଦିନ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ରୁଷ୍ ବିଦେଶ ମନ୍ତ୍ରୀ ସେରଗି ଲାରବଙ୍କ ମଧ୍ୟରେ ହେବାକୁ ଥିବା ଏକ ବୈଠକରେ ଏହି ସମ୍ଭାବ୍ୟ ସମ୍ମିଳନୀ ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହେବ।
ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ ଜେନ୍ ସାକି ଆଜି ଏକ ବିବୃତି ଜାରି କରି ବାଇଡେନ୍ ପୁଟିନ୍ଙ୍କୁ ଭେଟିବା କଥା ସ୍ପଷ୍ଟ କରିଛନ୍ତି। କିନ୍ତୁ ହ୍ବାଇଟ୍ ହାଉସ୍ ଏଥିପାଇଁ ଏକ ସର୍ତ୍ତ ରଖିଥିବା ସେ କହିଛନ୍ତି। ଯଦି ରୁଷ୍ ୟୁକ୍ରେନ୍ ଆକ୍ରମଣ ନକରେ ତେବେ ବାଇଡେନ୍ ପୁଟିନ୍ଙ୍କୁ ସାକ୍ଷାତ କରିବାକୁ ରାଜି ଅଛନ୍ତି ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ଆମେରିକା କହିଛି, ଆମେ ସବୁବେଳେ କୂଟନୈତିକ ସମାଧାନ ପାଇଁ ପ୍ରସ୍ତୁତ। ରୁଷ୍ ଯଦି ଯୁଦ୍ଧ ବାଛେ ତେବେ ଆମେ ବି ରୁଷ୍କୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଅଛୁ। ପୁଟିନ୍-ବାଇଡେନ୍ ସମ୍ମିଳନୀ ଦ୍ବାରା ରୁଷ୍ ସୈନ୍ୟ ପ୍ରତ୍ୟାହାର କରିବା ସହ ଯୁଦ୍ଧ ନିଷ୍ପତ୍ତିରୁ ଓହରିଯିବ ବୋଲି ୟୁକ୍ରେନ୍ ଆଶା ପ୍ରକଟ କରିଛି।
ଅନ୍ୟପକ୍ଷେ ରୁଷ୍ କହୁଛି ରୁଷ୍ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ସମ୍ମିଳନୀ ହେବା ସଂକ୍ରାନ୍ତରେ କିଛି ଯୋଜନା ହୋଇନି। ବୈଦେଶିକ ମନ୍ତ୍ରୀ ସ୍ତରରେ ସମ୍ମିଳନୀ ହୋଇପାରେ। କିନ୍ତୁ ରାଷ୍ଟ୍ରପତି ସ୍ତରୀୟ ସମ୍ମିଳନୀ ପାଇଁ କୌଣସି ବିସ୍ତୃତ ଯୋଜନା ହୋଇନାହିଁ ବୋଲି କ୍ରେମଲିନ ମୁଖପାତ୍ର ଡିମିତ୍ରି ପେସ୍କଭ କହିଛନ୍ତି। ରାଷ୍ଟ୍ରପତି ସ୍ତରୀୟ ସମ୍ମିଳନୀ ସଂକ୍ରାନ୍ତରେ ଏତେ ଆଗୁଆ କିଛି ବିବୃତି ରଖିବା ବା ଆଲୋଚନା କରିବା ଅପରିପକ୍ବ ବୋଲି ରୁଷ୍ କହିଛି। ଯଦି ଆବଶ୍ୟକ ପଡ଼େ ରୁଷ୍ ଏବଂ ଆମେରିକା ରାଷ୍ଟ୍ରପତି ଟେଲିଫୋନ୍ରେ କଥା ହେବାପାଇଁ ନିଷ୍ପତ୍ତି ନେଇପାରନ୍ତି ବୋଲି କ୍ରେମଲିନ ମୁଖପାତ୍ର କହିଛନ୍ତି। ଇତି ମଧ୍ୟରେ ପୁଟିନ ଆଜି ଏକ ଜରୁରୀ ସୁରକ୍ଷା ବୈଠକ ରଖିଛନ୍ତି।