ଘନଉଛି ୟୁକ୍ରେନ୍‌ ସଙ୍କଟ: ୟୁକ୍ରେନ୍‌ ଛାଡ଼ିବାକୁ ନାଗରିକଙ୍କୁ ୧୨ ରାଷ୍ଟ୍ରର ନିର୍ଦ୍ଦେଶ, କିବ୍‌କୁ ବିମାନ ବାତିଲ

୪୮ ଘଣ୍ଟା ମଧ୍ୟରେ ରୁଷ୍‌ ସହ ଆଲୋଚନା ଚାହୁଛି ୟୁକ୍ରେନ୍‌
ସଂକଟ ଟାଳିବାକୁ ଜର୍ମାନୀ ଚାନ୍‌ସେଲରଙ୍କ ଉଦ୍ୟମ ଜାରି

ୱାସିଂଟନ୍‌ : ୟୁକ୍ରେନ୍‌ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରୁଷ୍‌ ଯେକୌଣସି ସମୟରେ ୟୁକ୍ରେନ୍‌ ଉପ‌‌ରେ ଆକ୍ରମଣ କରିଦେଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇବାପରେ ଆମେରିକା ଏବଂ ବ୍ରିଟେନ୍‌ ସମେତ ୧୨ରୁ ଅଧିକ ରାଷ୍ଟ୍ର ୟୁକ୍ରେନ୍‌ରେ ଥିବା ନିଜ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡ଼ି ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରୁଷ୍‌ ୟୁକ୍ରେନ୍‌ ସୀମାରେ ୧ ଲକ୍ଷ ୩୦ ହଜାରରୁ ଅଧିକ ସୈନ୍ୟ ଠୁଳ କରିଛି। ଯେକୌଣସି ସମୟରେ ଏହା ୟୁକ୍ରେନ୍‌ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକା ବାରମ୍ବାର ଚେତାବନୀ ଦେଉଛି। ଇତି ମଧ୍ୟରେ ୟୁକ୍ରେନ୍‌ର ରାଜଧାନୀ କିବ୍‌କୁ କିଛି ଏୟାରଲାଇନ୍‌ ବିମାନ ବାତିଲ କରିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର୍‌ ଜେଲେନ୍‌ସ୍କି ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ କଥା ହୋଇଛନ୍ତି।

ଅନ୍ୟପକ୍ଷେ ୟୁକ୍ରେନ୍‌ ରୁଷ୍‌ ସହ ଏହି ପ୍ରସଙ୍ଗରେ ସ୍ପଷ୍ଟ ଆଲୋଚନା ଚାହୁଛି। ୟୁକ୍ରେନ୍‌ ବିଦେଶ ମନ୍ତ୍ରୀ କହିଛନ୍ତି, ରୁଷ୍‌ର ‌ଯୋଜନା ସଂକ୍ରାନ୍ତ‌ରେ ସ୍ପଷ୍ଟତା ପାଇଁ ଆମେ ଏହି ଦେଶ ସହିତ ୪୮ ଘଣ୍ଟା‌ ମଧ୍ୟରେ ଆଲୋଚନା ରାହୁଛୁ। ସଂକଟ ଲାଗି ରହିଥିବା ବେଳେ ସୋମବାର ଦିନ ଜର୍ମାନ ଚାନ୍ସେଲର ଓଲାଫ୍‌ ସ୍କୋଲ୍‌ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ଆଜି ସେ ମସ୍କୋ ଗସ୍ତରେ ଯାଇ ସେଠାରେ ରୁଷ ରାଷ୍ଟ୍ରପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଇତି ମଧ୍ୟରେ ବ୍ରିଟେନ୍‌ର ଜଣେ ମନ୍ତ୍ରୀ ଜେମ୍ସ ହେପି କହିଛନ୍ତି, ଘଟଣାରେ କୂଟନୈତିକ ବିଜୟ ପାଇଁ ଏବେ ବି ସୁଯୋଗ ରହିଛି। କିନ୍ତୁ ରୁଷ୍‌ ପକ୍ଷରୁ ଆସିବାକୁ ଥିବା ବିପଦ ବାସ୍ତବ ବୋଲି ସେ କହିଛନ୍ତି। ଜି୭ ଦେଶଗୁଡ଼ିକର ଅର୍ଥମନ୍ତ୍ରୀମାନେ ସୋମବାର ଏକ ମିଳିତ ବିବୃତିରେ ରୁଷିଆକୁ ଏ ବାବଦରେ ଚେତାବନୀ ଦେଇ କହିଛନ୍ତି ଯେ, ରୁଷିଆ ଆକ୍ରମଣ ଯୋଜନାରୁ ଓହରିବା ଉଚିତ। ତା’ ନ ହେଲେ ଭୟଙ୍କର ଆର୍ଥିକ ପରିଣାମ ଭୋଗିବ।

ସମ୍ବନ୍ଧିତ ଖବର