ୟୁକ୍ରେନ ସଙ୍କଟ: ଭାରତୀୟ ଛାତ୍ରଙ୍କ ଉଦ୍ଧାର ଆରମ୍ଭ, ୟୁକ୍ରେନ୍‌ ଛାଡ଼ିଲେ ପ୍ରଥମ ବ୍ୟାଚ୍‌ ଛାତ୍ର

ନୂଆ ନିର୍ଦ୍ଦେଶାବଳି ଜାରି
ସୁରକ୍ଷିତ ଓ ସତର୍କ ରହିବାକୁ କୁହାଗଲା
ଉଦ୍ଧାର ଖର୍ଚ୍ଚ ସରକାର ବହନ କରିବେ

ନୂଆଦିଲ୍ଲୀ : ୟ‌ୁକ୍ରେନ୍‌ରେ ଥିବା ଭାରତୀୟ ଛାତ୍ରଙ୍କୁ ଭାରତୀୟ ଦୂତାବାସ ଏକ ସଦ୍ୟ ନିର୍ଦ୍ଦେଶାବଳି ଜାରି କରି ‘ସୁରକ୍ଷିତ ଏବଂ ସତର୍କ’ ରହିବପାଇଁ କହିଛନ୍ତି। ୟୁକ୍ରେନ୍‌ରେ ଅବସ୍ଥାପିତ ଓଡ଼ିଶା ଜନ୍ମିତ ଭାରତୀୟ ରାଷ୍ଟ୍ରଦୂତ ପାର୍ଥ ଶତପଥୀ କହିଛନ୍ତି ଯେ ଭାରତୀୟ ଛାତ୍ରଙ୍କୁ ରୋମାନିଆ ଏବଂ ହଙ୍ଗେରି ସୀମା ‌ଦେଇ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାପାଇଁ ଏବେ ହଙ୍ଗେରି ସୀମା ସ୍ଥିତ ଚପ୍‌-ଜାହୋନି ସୀମା ଏବଂ ରୋମାନିଆ ସୀମା ସ୍ଥିତ ପୋରୁବ୍‌ନେ-ଷ୍ଟ୍ରେଟ୍‌ ସୀମାରେ ଭାରତୀୟ ଟିମ୍‌ ପହଞ୍ଚି ସାରିଛନ୍ତି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଭାରତୀୟ ଦୂତାବାସ ୟୁକ୍ରେନ୍‌ରେ ଭାରତୀୟ ସମ୍ପ୍ରଦାୟକୁ ସହଯୋଗ କରିବାପାଇଁ ୨୪ ଘଣ୍ଟା କାମ କରୁଛି । ଭାରତ ସରକାର ଏବଂ ୟୁକ୍ରେନ୍‌ ସ୍ଥିତ ଭାରତୀୟ ଦୂତାବାସ ରୋମାନିଆ ଏବଂ ହଙ୍ଗେରିରୁ ଉଦ୍ଧାର କାର୍ଯ୍ୟ ପାଇଁ ମିଳିତ ଭାବେ କାମ କରୁଛନ୍ତି। କେନ୍ଦ୍ର ସରକାର ଭାରତୀୟଙ୍କୁ ଫେରାଇ ଆଣିବାପାଇଁ ବିମାନ ପରିଚାଳନା କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଉଦ୍ଧାର ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ।

ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଗତକାଲି ରୋମାନିଆ, ‌ହଙ୍ଗେରି ଏବଂ ସ୍ଲୋଭାକିଆ ବିଦେଶ ମନ୍ତ୍ରୀଙ୍କ ସହ କଥା ହେବାପରେ ଆଜି ଉଦ୍ଧାର ଆରମ୍ଭ ହୋଇଛି। ଏୟାର ଇଣ୍ଡିଆ ରୋମାନିଆ ରାଜଧାନୀ ବୁଖାରେଷ୍ଟକୁ ୨ଟି ବିମାନ ପରିଚାଳନା କରିବ। ସଡ଼କ ପଥ ଦେଇ ଯେଉଁ ଛାତ୍ରମାନେ ୟୁକ୍ରେନ୍‌-ରୋମାନିଆ ସୀମାରେ ପହଞ୍ଚୁଛନ୍ତି ସେମାନଙ୍କୁ ଏହି ବିମାନରେ ଉଦ୍ଧାର କରାଯିବ। ୨ଟି ଏୟାର ଇଣ୍ଡିଆ ବିମାନ ବୁଖାରେଷ୍ଟ୍‌ରୁ ଆସନ୍ତାକାଲି ଉଡ଼ାଣ ଆରମ୍ଭ କରିବ। ୟୁକ୍ରେନ ରାଜଧାନୀ କିବ୍ ଏବଂ ରୋମାନିଆ ସୀମା ମଧ୍ୟରେ ଦୂରତା ୬୦୦ କିମି। ସଡ଼କ ପଥରେ ଏହି ରାସ୍ତା ଅତିକ୍ରମ ପାଇଁ ସାଢ଼େ ଆଠ ଘଣ୍ଟାରୁ ୧୧ ଘଣ୍ଟା ଲାଗିବ। ସେହିପରି ୟୁକ୍ରେନ-ରୋମାନିଆ ସୀମାରୁ ବୁଖାରେଷ୍ଟ୍‌ ୫୦୦ କିମି। ଏଥିପାଇଁ ଆଉ ୯ ଘଣ୍ଟା ଲାଗିବ। ସେହିପରି ହ‌ଙ୍ଗେରି ସୀମା‌ ଦେଇ ବି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯିବ। ଆଜି ରାତି ୨ଟାରେ ଏୟାର ଇଣ୍ଡିଆ ବୁଖାରେଷ୍ଟକୁ ୨ଟି ବିମାନ ପଠାଇବ। ଇତି ମଧ୍ୟ‌ରେ ୟୁକ୍ରେନ୍‌ -ରୋମାନିଆ ସୀମାରେ ପହଞ୍ଚିବାପାଇଁ ଆଜି ପ୍ରଥମ ବ୍ୟାଚ୍‌ ଭାରତୀୟ ଛାତ୍ରଛାତ୍ରୀ ଚେର୍ନିଭସ୍ତି ଛାଡ଼ିଛନ୍ତି। ୟୁକ୍ରେନ୍‌-ରୋମାନିଆ ସୀମାରୁ ସେମାନଙ୍କୁ ପ୍ରଥମେ ରୋମାନିଆ ରାଜଧାନୀ ନିଆଯିବ ଏବଂ ପରେ ସେଠାରୁ ଭାରତ ଅଣାଯିବ।

ୟୁକ୍ରେନ ଛାଡ଼ିବାକୁ ଭାରତୀୟ ଛାତ୍ରଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ: ପୋଲାଣ୍ଡ୍‌ ସୀମାରେ ପହଞ୍ଚିଲେ ୪୦ ଭାରତୀୟ ଛାତ୍ର

ନୂଆଦିଲ୍ଲୀ : ୟୁକ୍ରେନ୍‌ ଛାଡ଼ିବାକୁ ଭାରତୀୟ ଛାତ୍ରମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ୪୦ ଜଣ ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନ୍‌ ଛାଡ଼ିବାପାଇଁ ୮ କିମି ବାଟ ଚାଲିଛନ୍ତି। ସେମାନଙ୍କ କଲେଜ୍‌ ବସ୍‌ ସେମାନଙ୍କୁ ୟୁକ୍ରେନ୍‌-‌ପୋଲାଣ୍ଡ୍‌ ସୀମାଠାରୁ ୮ କିମି ଦୂରରେ ଛାଡ଼ି ଦେବାପରେ ସେମାନେ ସେଠାରୁ ଚାଲି ଚାଲି ପୋଲାଣ୍ଡ ସୀମାରେ ପହଞ୍ଚିଥିଲେ। ପୋଲାଣ୍ଡ ସୀମାଠାରୁ ୭୦ କିମି ଦୂର ଲିଭିଭ୍‌ ସ୍ଥିତ ଏକ ମେଡିକାଲ କଲେଜରେ ଏହି ଛାତ୍ରଛାତ୍ରୀମାନେ ପଢ଼ୁଥିଲେ। ରୁଷ୍‌ ଆକ୍ରମଣ ଆରମ୍ଭ କରିବା ପରେ ଜୀବନ ବଞ୍ଚାଇବାପାଇଁ ଛାତ୍ରମାନେ ଅନେକ ସଂଘର୍ଷ କରିଛନ୍ତି। ଜଣେ ଭାରତୀୟ ଛାତ୍ରଙ୍କ ଦ୍ବାରା ଏହାର ଏକ ଫଟୋ ସୋ‌ସିଆଲ ମିଡିଆରେ ସେୟାର କରାଯାଇଛି। ପୋଲାଣ୍ଡ-ୟୁକ୍ରେନ୍‌ ସୀମା ସଂଲଗ୍ନ ଏକ ଫାଙ୍କା ରାସ୍ତା କଡ଼ରେ ସେମାନେ ସମସ୍ତେ ଏକ ଧାଡ଼ିରେ ଚାଲିଥିଲେ। ୟୁକ୍ରେନରେ ଏବେ ପାଖାପାଖି ୧୬ ହଜାର ଭାରତୀୟ ଅଛନ୍ତି। ଅନେକ ଭାରତୀୟ ଭୂତଳ ମେଟ୍ରୋ ଷ୍ଟେସନ୍‌ ଏବଂ ବଙ୍କର୍‌ରୁ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ୍‌ କରୁଛନ୍ତି।

ସମ୍ବନ୍ଧିତ ଖବର