କିବ୍: ରୁଷ୍ ନିୟନ୍ତ୍ରଣାଧୀନ ୟୁକ୍ରେନର ଖେରସନ ଅଞ୍ଚଳ ଅଧୀନ ନୋଭା କାଖୋବକା ସହରରେ ଥିବା ଏକ ବଡ଼ ଡ୍ୟାମକୁ ବିସ୍ଫୋରଣରେ ଉଡ଼ାଇ ଦିଆଯାଇଛି। ଏଥିରେ କାଖୋବକା ଜଳବିଦ୍ୟୁତ ଶକ୍ତି ପ୍ରକଳ୍ପ ନଷ୍ଟ ହୋଇଛି। ଏହି ଡ୍ୟାମକୁ ରୁଷ ଉଡ଼ାଇ ଦେଇଥିବା ୟୁକ୍ରେନ ଅଭିଯୋଗ କରିଛି। ୩୦ ମିଟର ଉଚ୍ଚ ଏବଂ ୩.୨ କିମି ଲମ୍ବ ବିଶିଷ୍ଟ ଏହି ଡ୍ୟାମ ସୋଭିଏତ ରୁଷ୍ ସମୟରେ ନିର୍ମାଣ ହୋଇଥିଲା। ବିସ୍ଫୋରଣ ହୋଇଥିବା କାଖୋବକା ଡ୍ୟାମ ଏବଂ ଏହାର ନିକଟସ୍ଥ ଅଞ୍ଚଳକୁ ରୁଷ ପୂର୍ବରୁ ନିଜ ନିୟନ୍ତ୍ରଣକୁ ନେଇ ସାରିଛି।
ବିସ୍ଫୋରଣ ଦ୍ବାରା ଡ୍ୟାମ୍ ଭାଙ୍ଗିଯିବା ଫଳରେ ଦକ୍ଷିଣ ୟୁକ୍ରେନର ଅନେକ ଅଞ୍ଚଳ ଏବେ ଜଳମଗ୍ନ ହୋଇଯାଇଛି। ୨୨ ହଜାର ଲୋକ ବନ୍ୟା ବିପଦ ଥିବା ଅଞ୍ଚଳରେ ଅଛନ୍ତି। ତେବେ ୧୬ ହଜାର ଲୋକ ଅତି ବିପଦପୂର୍ଣ୍ଣ ଅଞ୍ଚଳରେ ଅଛନ୍ତି। ୮ଟି ଗାଁ ସଂପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ଲୋକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଉଛି। ତଳିଆ ଏବଂ ବିପଦପୂର୍ଣ୍ଣ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ଡ୍ୟାମ ଭାଙ୍ଗି ଯିବା ଫଳରେ ଖେରସନ ସହରର ତଳିଆ ଅଞ୍ଚଳରେ ପ୍ରତି ଅଧଘଣ୍ଟାରେ ଜଳସ୍ତର ୬ରୁ ୮ ସେମି ବଢ଼ୁଛି। ଜାପୁରଝିଆ ଆଣବିକ ଶକ୍ତି ପ୍ରକଳ୍ପ ଓ କ୍ରିମିଆକୁ ଏଠାରୁ ପାଣି ଯୋଗାଇ ଦିଆଯାଉଥିଲା। ତେବେ ଆଣବିକ ଶକ୍ତି ପ୍ରକଳ୍ପ ପ୍ରତି ତୁରନ୍ତ ବିପଦ ଥିବା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
୮ ଗାଁ ଜଳମଗ୍ନ, ୨୨ ହଜାର ଲୋକ ବିପଦରେ
ମୋର ହାତ ନାହିଁ: ରୁଷ୍
ଏହି ଘଟଣା ୟୁକ୍ରେନରେ ଅତି ଭୟଙ୍କର ପ୍ରଭାବ ପକାଇବ। ଡ୍ୟାମ୍ ନିକଟରେ ଥିବା ଯୁଦ୍ଧ ପ୍ରବଣ ୟୁକ୍ରେନର ଏକ ସହର ଏବେ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଯାଇଛି। ଅଞ୍ଚଳରେ ପାନୀୟ ଜଳ ଯୋଗାଣ ନେଇ ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି। ନିପର ନଦୀର ଉଭୟ ପାର୍ଶ୍ବରେ ରହୁଥିବା ବାସିନ୍ଦାଙ୍କୁ ତୁରନ୍ତ ସ୍ଥାନ ଛାଡ଼ି ଚାଲିଯିବାକୁ କୁହାଯାଇଛି। ଲୋକମାନେ ବସବାସ କରୁଥିବା ପ୍ରାୟ ୮୦ଟି ଅଞ୍ଚଳ ପ୍ରତି ବିପଦ ରହିଥିବା ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି। ୟୁରୋପରେ ଏହା ସବୁଠାରୁ ବଡ଼ ମନୁଷ୍ୟକୃତ ବିପର୍ଯ୍ୟୟ ବୋଲି ଜେଲେନସ୍କି କହିଛନ୍ତି। ୟୁକ୍ରେନ କହିଛି ଏହା ଏକ ଆତଙ୍କବାଦୀ ଆକ୍ରମଣ। ତେବେ ରୁଷ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି। ରୁଷ୍ ନିୟନ୍ତ୍ରଣରେ ଥିବା ନୋଭା କାଖୋବକା ସହରର ରୁଷୀୟ ମୁଖ୍ୟ ଭ୍ଲାଦିମିର ଲିଓନିଟିଭ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଡ୍ୟାମ୍ରେ ଆକ୍ରମଣ ହେବାପରେ ନିପର ନଦୀରେ ପ୍ରାୟ ୧୫୦ ଟନ୍ ଇଞ୍ଜିନ ଅଏଲ୍ ମିଶିଯାଇଛି। ଏହା ପରିବେଶ ଉପରେ ଅତି ଭୟଙ୍କର ପ୍ରଭାବ ପକାଇବ । ଅନେକ ଜୀବଜନ୍ତୁଙ୍କର ଏହାଦ୍ବାରା ମୃତ୍ୟୁ ହେବ। ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ଆହୁରି ୩୦୦ ଟନ୍ରୁ ଅଧିକ ଇଞ୍ଜିନ ଅଏଲ୍ ଲିକ୍ ହୋଇପାରେ। ସେହିପରି ୟୁକ୍ରେନ ବିଦେଶ ମନ୍ତ୍ରୀ ମିଟ୍ରୋ କୁଲେବା କହିଛନ୍ତି, ଡ୍ୟାମ୍ ବିସ୍ଫୋରଣ ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ପାଇଁ ଅଞ୍ଚଳର ପରିସଂସ୍ଥାନ ଉପରେ ଅତି ସାଂଘାତିକ ପ୍ରଭାବ ପଡ଼ିବ। ଜଳସ୍ତର ବଢ଼ୁଥିବାରୁ ନୋଭା କାଖୋବକା ଚିଡ଼ିଆଖାନାରେ ପଶୁପକ୍ଷୀମାନେ ମରିବା ଆରମ୍ଭ କଲେଣି।
ଡ୍ୟାମରେ ହୋଇଥିବା ବିସ୍ଫୋରଣ ସଂପର୍କରେ ଆମ ନିକଟରେ ସେଭଳି କୌଣସି ନିରପେକ୍ଷ ସୂଚନା ନାହିଁ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ରୁଷ ଆକ୍ରମଣର ଏହା ଏକ ଭୟଙ୍କର ପରିଣାମ ବୋଲି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି। ଉକ୍ତ ପ୍ରସଙ୍ଗରେ ରାଷ୍ଟ୍ରପତି ଜେଲେନ୍ସ୍କି ଆଜି ୟୁକ୍ରେନର ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିଛନ୍ତି।