ୟୁକ୍ରେନ ମୃତ୍ୟୁସଂଖ୍ୟା ଜାତିସଂଘ ଅଟକଳଠାରୁ ହଜାର ହଜାର ଅଧିକ ହେବା ଆଶଙ୍କା

ଜେନିଭା : ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଭୟଙ୍କର ମାନବୀୟ ସଂକଟ ସୃଷ୍ଟି ହୋଇଛି । ଏହି ଯୁଦ୍ଧ ଯୋଗୁଁ ଯେତିକି ମରିଛନ୍ତି ବୋଲି ଜାତିସଂଘ ଅଟକଳ କରିଛି ପ୍ରକୃତ ସଂଖ୍ୟା ତାଠାରୁ ଆହୁରି ଅଧିକ ହେବ ବୋଲି ଜାତିସଂଘ ମାନବ ଅଧିକାର ମନିଟରିଂ ମିଶନର ମୁଖ୍ୟ ମାଟିଲଡା ବୋଗନର କହିଛନ୍ତି ।

ସେ କହିଛନ୍ତି ଯେ ଯୁଦ୍ଧରେ ୟୁକ୍ରେନରେ ୩୩୮୧ ଜଣ ମୃତ୍ୟୁବରଣ କରିଥିବା ଜାତିସଂଘ ପୂର୍ବରୁ ଅଟକଳ କରିଥିଲା । କିନ୍ତୁ ପ୍ରକୃତ ମୃତ୍ୟୁସଂଖ୍ୟା ତାଠାରୁ ହଜାର ହଜାର ଅଧିକ ହେବ । ଏହାର କାରଣ ହେଉଛି ମାରିୟୁପୋଲ ପରି କେତେକ ଅଂଚଳ ଏକ ବ୍ଲାକ୍ ହୋଲରେ ପରିଣତ ହୋଇସାରିଛି । ଏଠାରେ କେତେ ଲୋକ ମରିଛନ୍ତି ତାହା ଜଣାପଡୁନାହିଁ ।

ଅନ୍ୟପକ୍ଷରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନ ଭିତରେ ପ୍ରାୟ ୮୦ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି ବୋଲି ଜାତିସଂଘ ଅଧିନସ୍ଥ ଅନ୍ତର୍ଜାତୀୟ ଶରଣାର୍ଥୀ ସଂଗଠନ (ଆଇଏମଓ) କହିଛି । ଏପ୍ରିଲ ୧୭ରୁ ମେ ୩ ମଧ୍ୟରେ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି ବୋଲି ଆଇଏମଓ କହିଛି । ଏହି ୮୦ ଲକ୍ଷଙ୍କ ମଧ୍ୟ ପ୍ରାୟ ୪୪ ପ୍ରତିଶତ ପୁଣି ଥରେ ବିସ୍ଥାପିତ ହେବାକୁ ଯୋଜନା କରୁଛନ୍ତି । ଦିନକୁ ଦିନ ଏହି ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି ଓ ୟୁକ୍ରେନରେ ଭୟଙ୍କର ମାନବୀୟ ସଂକଟ ସୃଷ୍ଟି ହୋଇଛି ବୋଲି ଆଇଏମଓ ରିପୋର୍ଟରେ କୁହାଯାଇଛି ।

 

ସମ୍ବନ୍ଧିତ ଖବର