କିବ୍  : ରୁଷର ରାଷ୍ଟ୍ରପତି ଭବନ କ୍ରେମଲିନ ଉପରେ ହୋଇଥିବା ଡ୍ରୋନ ଆକ୍ରମଣକୁ ନେଇ ସାରା ବିଶ୍ବରେ ନୂଆ ଆଶଙ୍କା ପ୍ରକାଶ ପାଇଛି । ଏହା ଦ୍ବାରା  ରୁଷ-ୟୁକ୍ରେନ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଡ଼କୁ ଗତିକରୁଥିବା ଭୟ କରାଯାଉଛି । ଏହି ଡ୍ରୋନ ଆକ୍ରମଣର ପରିଣତି ଭୋଗିବ ବୋଲି ରୁଷ ଧମକ ଦେଇଛି । ଅନ୍ୟପକ୍ଷରେ କ୍ରେମଲିନ ଉପରେ ହୋଇଥିବା ଏହି ଡ୍ରୋନ ଆକ୍ରମଣ ସଂପର୍କରେ କୌଣସି ସୂଚନା ନାହିଁ ବୋଲି ୟୁକ୍ରେନ କହିଛି ।

Advertisment

ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କ ମୁଖପାତ୍ର ସେରହି ନାଇକଫରୋଭ କହିଛନ୍ତି ଯେ ଏହି ଡ୍ରୋନ ଆକ୍ରମଣ ସଂପର୍କରେ କୌଣସି ସୂଚନା ନାହିଁ । ୟୁକ୍ରେନ ସେନା କେବଳ ନିଜ ଦେଶକୁ ରକ୍ଷା କରିବାରେ ଲାଗିଛି, ବାହାର ଦେଶ ଉପରେ ଆକ୍ରମଣ କରେ ନାହିଁ ।

ଏହି ଆକ୍ରମଣ ରୁଷ ପକ୍ଷରୁ ଜାଣିଶୁଣି ନିଜ ଉପରେ କରାଯାଇଛି । ଆଗକୁ ମେ ୯ ( ରୁଷର ବିଜୟ ଦିବସ) ଥିବାରୁ ନିଜ ସୈନିକ ଓ ଦେଶବାସୀଙ୍କ ମନୋବଳ ବୃଦ୍ଧି ପାଇଁ ଏହା କରାଯାଇଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଜେଲେନସ୍କିଙ୍କ ପରାମର୍ଶଦାତା ମାଇଖାଲିଓ ପୋଡୋଲ୍ୟାକ୍ କହିଛନ୍ତି ଯେ ଏହି ଆକ୍ରମଣରେ ତାଙ୍କ ଦେଶର କୌଣସି ସଂପୃକ୍ତି ନାହିଁ । କାରଣ ଏପରି ଆକ୍ରମଣ କଲେ ୟୁକ୍ରେନର କୌଣସି ଉଦ୍ଦେଶ୍ୟ ସାଧନ ହେବ ନାହିଁ । ଏପରି ଆକ୍ରମଣ ଯୁଦ୍ଧଭୂମିର ପରିସ୍ଥିତିକୁ ବଦଳାଇବ ନାହିଁ ।