ଲାଇମାନ ସହରରେ ହଜାର ହଜାର ରୁଷ ସୈନ୍ୟଙ୍କୁ ଘେରି ରହିଛନ୍ତି ୟୁକ୍ରେନ ସେନା

କିବ୍ : ୟୁକ୍ରେନର କେତେକ ଅଞ୍ଚଳକୁ ରୁଷ୍ ନିଜର ବୋଲି ଘୋଷଣା କରିବାର ଦିନକ ପରେ ୟୁକ୍ରେନ ସେନା ରୁଷ ସେନାକୁ କଡ଼ା ଜବାବ ଦେଇଛି । ରୁଷ କବଜାରେ ଥବା ଲାଇମାନ ସହରରେ ଥିବା ହଜାର ହଜାର ରୁଷ ସୈନ୍ୟଙ୍କୁ ଚାରିପଟୁ ଘେରିଯାଇଛନ୍ତି ୟୁକ୍ରେନ ସେନା ।

ୟୁକ୍ରେନ ସାମରିକ ମୁଖପାତ୍ରଙ୍କ କହିବାନୁସାରେ, ତାଙ୍କ ସେନା ଲାଇମାନ ସହରରେ ହଜାର ହଜାର ରୁଷ ସୈନ୍ୟଙ୍କୁ ଘେରି ରହିଛନ୍ତି । ରୁଷ ପାଇଁ ଏହି ସହରକୁ ନିଜ କବଜାରେ ରଖିବା ବେଶ ଗୁରୁତ୍ବପୂର୍ଣ୍ଣ କାରଣ ଏହି ସହର ମାଧ୍ୟମରେ ଡୋନବାସ ଓ ଅନ୍ୟ କେତେକ ସ୍ଥାନକୁ ଜରୁରୀ ସାମଗ୍ରୀ ପ୍ରେରଣ କରାଯାଇଥାଏ । ଏହି ସହରକୁ ରୁଷ ଏକ ଲଜିଷ୍ଟିକ୍ସ ହବ୍ ଭାବେ ବ୍ୟବହାର କରୁଛି । ଏଣୁ ଏହାକୁ ରକ୍ଷା କରିବାକୁ ରୁଷ ପ୍ରବଳ ପ୍ରତିରୋଧ କରିବ ।

କିନ୍ତୁ ଅନ୍ୟପକ୍ଷରେ ୟୁକ୍ରେନ ଯଦି ଏହି ସହରକୁ ପୁଣି ମୁକ୍ତ କରିନିଏ, ତେବେ ତାହା ରୁଷ ପାଇଁ ଅନ୍ୟ ଅଞ୍ଚଳକୁ ନିଜ କବଜାରେ ରଖିବା କଷ୍ଚକର ହୋଇପଡ଼ିବ । ବିଶେଷକରି ରୁଷ ପାଇଁ ଡୋନେସ୍କ ଅଂଚଳକୁ ରଖିବା କଷ୍ଟକର ହୋଇପଡ଼ିବ ।

ୟୁକ୍ରେନର ପୂର୍ବ ବାହିନୀର ମୁଖପାତ୍ର ସେରହି ଚେରେଭାଟୀ କହିଛନ୍ତି ଯେ, ଲାଇମାନ ଅଞ୍ଚଳରେ ରୁଷ ସେନାକୁ ୟୁକ୍ରେନ ସୈନ୍ୟ ଘେରି ରହିଛନ୍ତି ଓ ଏବେ ଏହି ଅପରେସନ ଜାରି ରହିଛି । ଲାଇମାନରେ ରୁଷର ପ୍ରାୟ ୫ ହଜାରରୁ ସାଢେ ୫ ହଜାର ସୈନ୍ୟ ଥିବା ଅନୁମାନ କରାଯାଉଛି ।

 

 

ସମ୍ବନ୍ଧିତ ଖବର