କିବ୍: ରୁଷ୍ ଆକ୍ରମଣର ସପ୍ତାହକ ମଧ୍ୟରେ ୟୁକ୍ରେନ୍ ଆଜି ସୁଦ୍ଧା ୫ଟି ସହର ଉପରୁ ନିୟନ୍ତ୍ରଣ ହରାଇଲାଣି। ୪ଟି ସହର ସଂପୂର୍ଣ୍ଣ ଭାବେ ରୁଷ୍ ସେନାର କବ୍ଜାକୁ ଚାଲିଯାଇଥିବା ବେଳେ ଦ୍ବିତୀୟ ବୃହତ୍ତମ ସହର ଖାରକିଭ୍ରେ ନିର୍ଣ୍ଣାୟକ ଲଢ଼େଇ ଜାରି ରହିଛି ଏବଂ ଏହାର ୭୦ ପ୍ରତିଶତ ଅଂଚଳକୁ ରୁଷ୍ ନିଜ ନିୟନ୍ତ୍ରଣକୁ ନେଇଗଲାଣି। ରାଜଧାନୀ କିବ୍କୁ ମଧ୍ୟ ରୁଷ୍ ସେନା ସବୁ ଦିଗରୁ ଘେରି ରହିଛନ୍ତି ଏବଂ ସପ୍ତାହକ ମଧ୍ୟରେ କିବ୍ର ପତନ ଘଟିପାରେ ବୋଲି ସାମରିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଗୋଟିଏ ପଟେ ରୁଷ୍ସେନାର ମୃତ୍ୟୁ ସଂଖ୍ୟା ଏବଂ ଟ୍ୟାଙ୍କ୍ ଓ ବିମାନ ନଷ୍ଟ ହେବା ସଂକ୍ରାନ୍ତ ବିବୃତି ଦେଇ ୟୁକ୍ରେନ୍ ନେତାମାନେ ଆତ୍ମସନ୍ତୁଷ୍ଟିରେ ଥିବା ବେଳେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ସହରର ପତନ ଏହାର ଭବିଷ୍ୟତକୁ ଅନ୍ଧକାର କରିଦେଇଛି। ୟୁକ୍ରେନ୍ ଆଜି ସୁଦ୍ଧା ରୁଷ୍ ୧୦ ହଜାର ସୈନିକଙ୍କୁ ନିପାତ କରିଥିବା କହିଥିବା ବେଳେ ରୁଷ୍ ଏହି ସଂଖ୍ୟାକୁ ୪୦୮ ଦର୍ଶାଇଛି। ଏହା ସହିତ ରୁଷ୍ର ଜଣେ ମେଜର ଜେନେରାଲ ଆନ୍ଦ୍ରୟି ସୁଖୋଭିସ୍ତୋକି ମଧ୍ୟ ଯୁଦ୍ଧରେ ନିହତ ହୋଇଥିବା ୟୁକ୍ରେନ୍ ଦାବି କରିଛନ୍ତି। ଗତକାଲି ସନ୍ଧ୍ୟାରେ ରୁଷ୍ ୟୁକ୍ରେନ୍ର ଅନ୍ୟତମ ପ୍ରମୁଖ ସହର ଖେରସନକୁ କବ୍ଜା କରିବାର ୪ ଘଣ୍ଟା ପରେ ୟୁକ୍ରେନ୍ ଏହାକୁ ସ୍ବୀକାର କରିଥିଲା। ସେଠାରେ ୟୁକ୍ରେନ୍ ସେନାର ସମସ୍ତ ପ୍ରତିଷ୍ଠାନକୁ ରୁଷ୍ ଧ୍ବଂସ କରିବା ସହ ଏହାର କମାଣ୍ଡ ସେଣ୍ଟର ଏବଂ ମୁଖ୍ୟ ଭବନଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି। ରୁଷ୍ ଏହି ସହରକୁ ନିୟନ୍ତ୍ରଣକୁ ନେବା ମାତ୍ରେ ଏହାର କେନାଲ ଓ ଜଳଭଣ୍ଡାରରୁ କ୍ରିମିଆକୁ ଜଳଯୋଗାଣ ବ୍ୟବସ୍ଥା କରିଛି।
ୟୁକ୍ରେନ୍ର ଦ୍ବିତୀୟ ବୃହତ୍ତମ ସହର ଖାରକିଭ୍ରେ ରୁଷ୍ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ଏବଂ ସଂପୂର୍ଣ୍ଣ ସହର ନିଜ କବ୍ଜାକୁ ନେବା ପାଇଁ ୩ରୁ ୪ ଦିନ ସମୟ ଲାଗିବ ବୋଲି କୁହାଯାଉଛି। କେତେକ ସ୍ଥାନରେ ସ୍ଥାନୀୟ ଲୋକେ ରୁଷ୍ ସେନା ସହ ଗରିଲା ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛି। ରୁଷ୍ ନିୟନ୍ତ୍ରଣକୁ ଯାଇଥିବା ୟୁକ୍ରେନ୍ର ଆଉ ୨ଟି ସହର ହେଲା ଚେର୍ଣ୍ଣିହିବ୍ ଏବଂ ମିରୁପୋଲ। ରୁଷ୍ ସେନା ଏହି ଦୁଇ ସହରକୁ ଦୁଇ ଦିନ ତଳୁ ସଂପୂର୍ଣ୍ଣ କବ୍ଜା କରିଛି। କିନ୍ତୁ କେତେକ ଅଞ୍ଚଳରେ ଲଢ଼େଇ ଜାରି ରହିଥିବାରୁ ୟୁକ୍ରେନ୍ ଏହାକୁ ସ୍ବୀକାର କରୁନାହିଁ। ଚେର୍ଣ୍ଣିହିବ୍ରେ ଆଜି ରୁଷ୍ର ବିମାନ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ଘଟିଚି। ଉଭୟ ସହରର ଅନେକ ଅଂଚଳରେ ଏବେ ବି ରୁଷ୍ ସେନାକୁ ପ୍ରତିରୋଧ କରାଯାଉଛି। ଅନ୍ୟ ଏକ ସହର ମେଲ୍ଟିପୋଲକୁ ୪ ଦିନ ତଳୁ ରୁଷ୍ ସଂପୂର୍ଣ୍ଣ ଦଖଲକୁ ନେବା ସହ ଏହାକୁ ନିଜର ସୈନ୍ୟ ଛାଉଣିରେ ପରିବର୍ତ୍ତନ କରିଦେଇଛି।
ସପ୍ତାହକରେ ୧୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍ ଛାଡ଼ିଲେଣି
ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ହେବାର ସପ୍ତାହକ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍ ଛାଡ଼ିଲେଣି। ଜାତିସଂଘ ମାନବାଧିକାର ହାଇ କମିସନର ଫ୍ଲିପୋ ଗ୍ରାଣ୍ଡି କହିଛନ୍ତି, ମାତ୍ର ସପ୍ତାହକ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ପଳାଇଛନ୍ତି। ଯଦି ଯୁଦ୍ଧ ବନ୍ଦ ନହୁଏ ତେବେ ଆଗକୁ ଆହୁରି ଲକ୍ଷାଧିକ ଲୋକ ୟୁକ୍ରେନ୍ ଛାଡ଼ିଦେବେ। ୟୁଏନ୍ଏଚସିଆର ତଥ୍ୟ ଅନୁଯାୟୀ ଫେବ୍ରୁଆରି ୨୪ରେ ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରଠାରୁ ଏଯାବତ ୧,୦୦୨,୮୬୦ ଲୋକ ୟୁକ୍ରେନ ଛାଡ଼ିଲେଣି। ଗ୍ରାଣ୍ଡି କହିଛନ୍ତି, ଦୀର୍ଘ ୪୦ ବର୍ଷ ଧରି ମୁଁ ରିଫ୍ୟୁଜି ଏମର୍ଜେନ୍ସି କ୍ଷେତ୍ରରେ କାମ କରିଛି। କିନ୍ତୁ କେବେ ପୂର୍ବରୁ ଏଭଳି ଭାବେ ଏତେ ସଂଖ୍ୟାରେ ଲୋକ ଦେଶ ଛାଡ଼ିନଥିଲେ। ପ୍ରତି ମିନିଟ୍ରେ ଏବେ ଶହ ଶହ ଲୋକ ଦେଶ ଛାଡ଼ି ଦେଉଛନ୍ତି। ୟୁକ୍ରେନ ଛାଡ଼ିଥିବା ଅର୍ଦ୍ଧାଧିକ ଲୋକ ପୋଲାଣ୍ଡ, ହଙ୍ଗେରି, ମଲଦୋଭା ଏବଂ ସ୍ଲୋଭାକିଆ ଚାଲି ଯାଇଛନ୍ତି। ୟୁଏନ୍ଏଚସିଆର ତଥ୍ୟ ଅନୁଯାୟୀ ପ୍ରାୟ ୫୦୫,୫୦୦ ଲୋକ କେବଳ ପୋଲାଣ୍ଡ୍ ପଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/f6sh45s6f54hf6545sf6hsfh.jpg)