ନୂଆଦିଲ୍ଲୀ : ୟୁକ୍ରେନରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଏହା ସହିତ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ତେବେ ଏହି ଯୁଦ୍ଧରେ ଆଜି ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୃତ୍ୟୁବରଣ କରିଛନ୍ତି । ରୁଷିଆ ସୈନ୍ୟଙ୍କ ବୋମା ମାଡ଼ରେ କର୍ଣ୍ଣାଟକର ଜଣେ ଛାତ୍ର ମୃତ୍ୟୁବରଣ କରିଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ଏହି ଖବର ପାଇବା ପରେ ଏବେ ଫସିରହିଥିବା ଭାରତୀୟଙ୍କ ଛାତିରେ ଛନକା ପଶିଛି। ସେମାନଙ୍କର ବି ନବୀନଙ୍କ ଭଳି ଅବସ୍ଥା ହେବନି ତ? ଏ ପ୍ରଶ୍ନ ଏବେ ୟୁକ୍ରେନରେ ଫସିଥିବା ପ୍ରତି ଭାରତୀୟଙ୍କ ମନରେ ରହିଛି।
ତେବେ ଋଷ ସେନାର ଆକ୍ରମଣ ସହ ୟୁକ୍ରେନ ପୁଲିସ ମଧ୍ୟ ଭାରତୀୟଙ୍କ ଉପରେ ଅତ୍ୟାଚାର କରୁଥିବା ସାମ୍ନକୁ ଆସିଛି। ମିଳୁଥିବା ଖବର ମୁତାବକ, ଆକ୍ରମଣରୁ ରକ୍ଷା ପାଇବା ପାଇଁ ରେଳ ଷ୍ଟେସନ ଆସୁଥିବା ଭାରତୀୟମାନକୁ ୟୁକ୍ରେନ ପୁଲିସର କଠୋର ବ୍ୟବହାର ସାମ୍ନା କରିବାକୁ ପଡ଼ୁଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଖାର୍କିଭ ରେଳ ଷ୍ଟେସନରେ ଠିଆ ହୋଇଥିବା ବହୁ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଟ୍ରେନରେ ଚଢ଼ିବାକୁ ଅନୁମତି ଦିଆଯାଉ ନାହିଁ। ୟୁକ୍ରେନ ପୁଲିସ ପ୍ରଥମେ ନିଜ ଲୋକଙ୍କୁ ଟ୍ରେନରେ ଚଢ଼ିବାର ସୁଯୋଗ ଦେଉଛି। ଏଥିପାଇଁ ଏକାଧିକ ପିଲା ସୁରକ୍ଷିତ ୟୁକ୍ରେନ ବାହାରକୁ ଯିବାର ଆଶା ନେଇ ରେଳ ଷ୍ଟେସନରେ ପହଞ୍ଚୁଥିଲେ ବି ସେମାନଙ୍କୁ ଟ୍ରେନ ଭିତରକୁ ଯିବାକୁ ଦିଆଯାଉନାହିଁ।