କିବ୍‌: ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ଚାଲିଥିବା ଭୀଷଣ ଯୁଦ୍ଧରେ ଆମେ ୨୧ ହଜାର ୱାଗ୍‌ନର ସୈନିକଙ୍କୁ ନିପାତ କରିଛୁ ଏବଂ ଏହା ରୁଷ୍‌ ପାଇଁ ବଡ଼ ଝଟ୍‌କା ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି କହିଛନ୍ତି। ଘରୋଇ ସେନା ୱାଗ୍‌ନର ବହୁତ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛି ଏବଂ ଆମେ ପୂର୍ବାଞ୍ଚଳର ଅଧିକ ଅଞ୍ଚଳ ନିଜ ଅକ୍ତିଆରକୁ ପୁଣି ନେଇପାରିଛୁ ବୋଲି ଜେଲେନସ୍କି କହିଛନ୍ତି। ସିଏନ୍‌ଏନ୍‌କୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ୨୧ ହଜାର ୱାଗ୍‌ନର ଯୋଦ୍ଧା ନିପାତ ହୋଇଥିବା ଆମେ ସ୍ପଷ୍ଟ କରୁଛୁ ଏବଂ ଆଉ ୮୦ ହଜାର ସୈନିକ ଆହତ ହୋଇଛନ୍ତି। ୱାଗ୍‌ନର ଗ୍ରୁପ୍‌ର ସୈନିକଙ୍କ ମଧ୍ୟରେ ଅଧିକାଂଶ ଜେଲ୍‌ରୁ ଖଲାସ ହୋଇଥିବା ଅପରାଧୀ ରହିଥିଲେ ଏବଂ ସେମାନଙ୍କ ସହାୟତାରେ ରୁଷ୍‌ ସେନା ଏଠାରେ ଲଢ଼ୁଥିଲା ବୋଲି ଜେଲେନସ୍କି କହିଛନ୍ତି। ୱାଗ୍‌ନର ଗ୍ରୁପ୍‌ର ବିଦ୍ରୋହ ଯୁଦ୍ଧକ୍ଷେତ୍ରରେ ରୁଷ୍‌ର ସ୍ଥିତିକୁ ବହୁତ ପ୍ରଭାବିତ କରିଛି ଏବଂ ସେମାନେ ୟୁକ୍ରେନ୍‌ର କୌଣସି ଅଞ୍ଚଳ ଅକ୍ତିଆର କରିପାରିବେ ନାହିଁ ବୋଲି ଜେଲେନସ୍କି କହିଛନ୍ତି।

Advertisment

ନିଜ ସୁରକ୍ଷା ପ୍ରସଙ୍ଗରେ ଜେଲେନସ୍କି କହିଛନ୍ତି ଯେ ରୁଷ୍‌ ମତେ ମାରିବା ପାଇଁ ଲଗାତାର ଚେଷ୍ଟା କରୁଛି ଏବଂ ଏଥିରେ ବାରମ୍ବାର ବିଫଳ ହେଉଛି। ପୂରା ବିଶ୍ବ ଏବେ ରୁଷ୍‌ ବିରୋଧରେ ରହିଥିବାରୁ ଆମକୁ ଲଢ଼ିବା ପାଇଁ ମନୋବଳ ମିଳୁଛି ବୋଲି ସେ କହିଛନ୍ତି।