ବେଲାରୁଷ୍‌ରେ ରୁଷ୍‌ ସହିତ ଶାନ୍ତି ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି; ଅନ୍ୟତ୍ର ଆଲୋଚନା ପାଇଁ ରାଜି

କିଏଭ୍‌: ବେଲାରୁଷ୍‌ରେ ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ପାଇଁ ରୁଷ୍‌ ଦେଇଥିବା ପ୍ରସ୍ତାବକୁ ଆଜି ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସୂଚନାଯୋଗ୍ୟ, ବେଲାରୁଷ୍‌କୁ ପ୍ରତିନିଧି ଦଳ ପଠାଇବା ପରେ ସେଠାରେ ଶାନ୍ତି ସନ୍ଧି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ଲାଗି ମସ୍କୋ ପ୍ରସ୍ତାବ ଦେଇଥିଲା।

ଜେଲେନ୍‌ସ୍କି କହିଛନ୍ତି, ବେଲାରୁ‌ଷ୍‌ରେ ଥାଇ କେତେକ ରୁଷ୍‌ ସୈନିକ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛନ୍ତି। ୟୁକ୍ରେନ୍‌ରେ ପ୍ରବେଶ ପାଇଁ ବେଲାରୁଷ୍‌ ରୁଷୀୟ ସେନାକୁ ରାସ୍ତା ଦେଇଛି। ବେଲାରୁଷ୍‌ରୁ ରୁଷୀୟ କ୍ଷେପଣାସ୍ତ୍ର ଏବଂ ବିମାନ ଆକ୍ରମଣ କରାଯାଇଛି। ତେଣୁ, ୟୁକ୍ରେନ୍‌ ପ୍ରତି ବିଦ୍ବେଷ ମନୋଭାବ ନ ଥିବା ଅନ୍ୟ କ‌ୌଣସି ସ୍ଥାନରେ ଶାନ୍ତି ଆଲୋଚନା ପାଇଁ ସେ ରାଜି ବୋଲି କହିଛନ୍ତି। ୱାରସ, ଇସ୍ତାନ୍‌ବୁଲ୍‌ ଏବଂ ବାକୁ ଆଦି ସ୍ଥାନରେ ଆଲୋଚନା ହେଲେ ସୁବିଧା ହେବ ବୋଲି ସେ କହିଛନ୍ତି।

Image Courtesy of The Jerusalem Post

ଏହି ମର୍ମରେ ସେ କହିଛନ୍ତି, କ୍ଷେପଣାସ୍ତ୍ର ନିକ୍ଷେପ କରାଯାଉ ନ ଥିବା ଯେକୌଣସି ଦେଶରେ ସେ ବୁଝାମଣା ଆଲୋଚନା କରିବା ଲାଗି ପ୍ରସ୍ତୁତ ଅଛନ୍ତି।

ପୂର୍ବରୁ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ଙ୍କ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ କହିଥିଲେ, ବେଲାରୁଷ୍‌ ନଗରୀ ଗୋମେଲ୍‌ରେ ଆଲୋଚନା ଲାଗି ରୁଷ୍‌ ପ୍ରସ୍ତୁତ। ମସ୍କୋ ଉକ୍ରେନୀୟଙ୍କ ଉତ୍ତର ଅପେକ୍ଷାରେ ଅଛି।

ୟୁକ୍ରେନୀୟ ରାଷ୍ଟ୍ରପତିଙ୍କ ପରାମର୍ଶଦାତା କହିଛନ୍ତି ଯେ, ଉଦ୍ଦେଶ୍ୟହୀନ ବୋଲି ଜାଣି ସୁଦ୍ଧା ଗୋମେଲ୍‌ରେ ରୁଷୀୟ ପ୍ରତିନିଧି ଦଳ ପହଞ୍ଚିଛନ୍ତି।

ମସ୍କୋର ଏହି ନିଷ୍ପତ୍ତି ପ୍ରଚାରସର୍ବସ୍ବ ବୋଲି ମଧ୍ୟ ଜେଲେନ୍‌ସ୍କି ଆଜି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛନ୍ତି।

ସମ୍ବନ୍ଧିତ ଖବର