ଯୁଦ୍ଧର ପୂର୍ବାଭାସ ?  ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ ହେଉଛନ୍ତି ୟୁକ୍ରେନର ବିଦ୍ରୋହୀ ନେତା

କିଏଭ୍ : ବୋଧହୁଏ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ସଂଦେହ ସତ ହେବାକୁ ଯାଉଛି । ପୂର୍ବ ୟୁକ୍ରେନର ଦୁଇ ବିଚ୍ଛିନ୍ନାଞ୍ଚଳ ଡୋନେସ୍କ ଓ ଲୁନାସ୍କର ଋଷିଆ ସମର୍ଥିତ ବିଦ୍ରୋହୀମାନେ ୟୁକ୍ରେନ ବିରୋଧରେ ଲଢିବାକୁ ନିଜ ଯୋଦ୍ଧାମାନଙ୍କୁ ଏକତ୍ରିତ କରିବା ଆରମ୍ଭ କରିଛନ୍ତି । ଏହାକୁ ୟୁକ୍ରେନ ଉପରେ ଋଷୀୟ ଆକ୍ରମଣର ପୂର୍ବାଭାସ ବୋଲି କୁହାଯାଉଛି ।

ସାମରିକ ବିଶେଷଜ୍ଞଙ୍କ ମତରେ ଏହି ବିଦ୍ରୋହୀମାନଙ୍କୁ ଋଷିଆ ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରୁଥିବାରୁ ନିକଟ ଭବିଷ୍ୟତରେ ଋଷିଆ ଆକ୍ରମଣ କରିବାର ଆଶଙ୍କା ବଢିଯାଇଛି ।

ଗୋଟିଏ ପଟେ ଆଜି ଋଷିଆ ପକ୍ଷରୁ ଏକ ବଡ଼ ଧରଣର ଆଣବିକ ଯୁଦ୍ଧାଭ୍ୟାସ ଆରମ୍ଭ କରାଯାଇଛି । ଏଥିରେ ଋଷିଆର ଅନ୍ତଃମହାଦେଶୀୟ ବାଲିଷ୍ଟିକ ଓ କ୍ରୁଜ ମିସାଇଲ ଗୁଡ଼ିକର ପରୀକ୍ଷଣ କରାଯିବ । ଅନ୍ୟପକ୍ଷରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡାଇମିର ଜେଲେନସ୍କି ସମର୍ଥନ ଯୋଗାଡ଼ ପାଇଁ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଯାତ୍ରା କରିଛନ୍ତି ।

ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ ଋଷିଆର ସୈନ୍ୟମାନେ ୟୁକ୍ରେନକୁ ଘେରି ରହିଛନ୍ତି । ଏଥିରୁ ଜଣାପଡ଼ୁଛି ଯେ ୟୁକ୍ରେନ ଉପରେ ଋଷିଆ ନିଶ୍ଚିତ ଆକ୍ରମଣ କରିବ । କିନ୍ତୁ ଏପରି ହେଲେ ୟୁକ୍ରେନ ଲୋକଙ୍କ ପଛରେ ଆମେରିକା ଓ ତାହାର ମିତ୍ରଦେଶମାନେ ରହିବେ ଓ ଋଷିଆକୁ ଏହାର କଠୋର ପରିଣାମ ଭୋଗିବାକୁ ହେବ । ଏହା ସହିତ ଋଷିଆ ଉପରେ କଠୋର ଆର୍ଥିକ କଟକଣା ଲଗାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର