ସାମୁହିକ ଆତ୍ମହତ୍ୟା ଶେଷ ବିକଳ୍ପ : ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ

ଭୁବନେଶ୍ବର : ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ମେଡିକାଲ କଲେଜଗୁଡ଼ିକରେ ନାମଲେଖା ପାଇଁ ଅନୁମତି ଦେବାକୁ ଭାରତ ସରକାର ମନା କରିବାପରେ ସମସ୍ୟାରେ ପଡ଼ିଯାଇଛନ୍ତି ଏହି ଡାକ୍ତରୀ ଛାତ୍ରଛାତ୍ରୀ । ଏପରିସ୍ଥିତିରେ ଗଣଆତ୍ମହତ୍ୟା କରିବାଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ସେମାନେ ଚେତାବନୀ ଶୁଣାଇଛନ୍ତି ।
ଦୁଇଦିନ ତଳେ ସଂସଦରେ କେନ୍ଦ୍ର ସରକାର କହିଥିଲେ ଯେ ଭାରତୀୟ ମେଡିକାଲ କାଉନସିଲ ଆଇନ ଓ ଜାତୀୟ ମେଡିକାଲ କମିସନ ଆଇନ ଅନୁସାରେ କୌଣସି ବିଦେଶୀ ଶିକ୍ଷାନୁଷ୍ଠାନରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇପାରିବ ନାହିଁ ।

ସରକାରଙ୍କ ଏହି ବୟାନ ୟୁକ୍ରେନରୁ ଫେରିଥିବା ପ୍ରାୟ ୨୦ ହଜାର ଡାକ୍ତରୀ ଛାତ୍ରଛାତ୍ରୀ ନିରାଶ ହୋଇପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଜାତୀୟ ମେଡିକାଲ କମିସନଙ୍କ ଦ୍ବାରସ୍ଥ ହୋଇଥିଲେ ବି ସେଠାରେ ବି ନିରାଶ ହୋଇଛନ୍ତି । ଏନଏମସି ପକ୍ଷରୁ ଅନ୍ୟ କୌଣସି ବିଦେଶୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ପରାମର୍ଶ ଦିଆଯାଇଛି । ମାତ୍ର ଆର୍ଥିକ ଦୃଷ୍ଟିକୋଣରୁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଇଁ ଏହା ସମ୍ଭବପର ନୁହେଁ । ସେହିପରି ଅନଲାଇନ କ୍ଲାସ କଲେ ତାହା ବୈଧ ହେବ ନାହିଁ ବୋଲି ମଧ୍ୟ ଏନଏମସି ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ଅନ୍ୟପକ୍ଷରେ ୟୁକ୍ରେନରେ ଏବେ ବି ଯୁଦ୍ଧ ଜାରି ରହିଥିବାରୁ ସେଠାକୁ ଫେରିବା ସମ୍ଭବ ନୁହେଁ । ଯଦି ବାଧ୍ୟ ହୋଇସେମାନଙ୍କୁ ୟୁକ୍ରେନ ଫେରିବାକୁ ପଡ଼େ ଓ ସେଠାରେ ତାଙ୍କ କିଛି ହୋଇଯାଏ, ସେଥିପାଇଁ ଭାରତ ସରକାର ଓ ଏନଏମସି ଦାୟୀ ରହିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଶୁଣାଇଛନ୍ତି ।

ସମ୍ବନ୍ଧିତ ଖବର