ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ଭାରତୀୟ ମେଡିକାଲ କଲେଜରେ ନାମ ଲେଖାଇ ପାରିବେ ନାହିଁ : ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ମେଡିକାଲ କଲେଜଗୁଡ଼ିକରେ ନାମ ଲେଖାଇବାକୁ ଅନୁମତି ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଛନ୍ତି ଯେ ଏ ନେଇ ଜାତୀୟ ମେଡିକାଲ କମିସନ ଆଇନରେ କୌଣସି ବ୍ୟବସ୍ଥା ନଥିବାରୁ ଏହା ସମ୍ଭବ ନୁହେଁ । ଏହି ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖା ଅନୁମତି ଦେବା ଦ୍ବାରା ଭାରତରେ ମେଡିକାଲ ଶିକ୍ଷାର ମାନ ପ୍ରଭାବିତ ହେବ ।

କେନ୍ଦ୍ର ସରକାର ଆହୁରି ମଧ୍ୟ ଜଣାଇଛନ୍ତି, ଦୁଇଟି କାରଣରୁ ଭାରତୀୟ ଛାତ୍ରଛାତ୍ରୀମାନେ ବିଦେଶୀ ମେଡିକାଲ କଲେଜରେ ପଢିବାକୁ ଯାଉଛନ୍ତି- ଏନଇଇଟି ପରୀକ୍ଷାରେ ଖରାପ ପ୍ରଦର୍ଶନ ଓ ୟୁକ୍ରେନ ପରି ଦେଶରେ ଶସ୍ତା ମେଡିକାଲ ପଢା ଖର୍ଚ୍ଚ । ଏନଇଇଟି ପରୀକ୍ଷାରେ ଭଲ ପ୍ରଦର୍ଶନ କରିନଥିବା ପିଲାମାନଙ୍କୁ ଅନୁମତି ଦେବା ଦ୍ବାରା ଅନ୍ୟ ବିବାଦ ସୃଷ୍ଟି ହେବ ।  ଯେଉଁମାନେ କମ ଖର୍ଚ୍ଚରେ ବିଦେଶରେ ମେଡିକାଲ ପଢୁଥିଲେ, ସେମାନେ ଭାରତର ଘରୋଇ ମେଡିକାଲ କଲେଜର ଖର୍ଚ୍ଚ ଉଠାଇପାରିବେ ନାହିଁ ।

କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟ ଦ୍ବାରା ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ପୁଣି ନିରାଶ ହୋଇଛନ୍ତି ।

ଗତ ଜୁଲାଇ ମାସରେ ସଂସଦରେ କେନ୍ଦ୍ର ସରକାର କହିଥିଲେ ଯେ ଭାରତୀୟ ମେଡିକାଲ କାଉନସିଲ ଆଇନ ଓ ଜାତୀୟ ମେଡିକାଲ କମିସନ ଆଇନ ଅନୁସାରେ କୌଣସି ବିଦେଶୀ ଶିକ୍ଷାନୁଷ୍ଠାନରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇପାରିବ ନାହିଁ ।

ସମ୍ବନ୍ଧିତ ଖବର