ଯୁଦ୍ଧର ୧୫୦ତମ ଦିବସରେ ପରସ୍ପର ଉପରେ କ୍ଷେପଣାସ୍ତ୍ର ମାଡ କଲେ ରୁଷ, ୟୁକ୍ରେନ

କିବ୍ : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଇତି ମଧ୍ୟରେ ୧୫୦ତମ ଦିନରେ ପ୍ରବେଶ କରିଛି । ୧୫୦ତମ ଦିନରେ ଉଭୟ ରୁଷ ଓ ୟୁକ୍ରେନ ପରସ୍ପର ଉପରେ କ୍ଷେପଣାସ୍ତ୍ର ମାଡ କରିଛନ୍ତି ।

ରୁଷ ସେନା କେନ୍ଦ୍ରୀୟ ୟୁକ୍ରେନର କିରୋଭହରାସକା ଅଂଚଳରେ ଥିବା ଏକ ଏୟାରଫିଲଡ ଉପରେ ପ୍ରାୟ ୧୩ଟି କ୍ଷେପଣାସ୍ତ୍ରମାଡ କରିଛି । ଏହା ଦ୍ବାରା ଏୟାରଫିଲଡ କ୍ଷତିଗ୍ରସ୍ତ ହେବା ସହ ୩ ଜଣ ଲୋକ ପ୍ରାଣ ହରାଇଛନ୍ତି । ମୃତ ୩ ଜଣଙ୍କ ମଧ୍ୟରୁ ଜଣେ ସୈନିକ ହୋଇଥିବାବେଳେ ଅନ୍ୟ ୨ ଜଣ ସୁରକ୍ଷାକର୍ମୀ ଥିବା ଜଣାପଡ଼ିଛି । ଏହା ସହିତ ନିକଟରେ ଥିବା ଏକ ରେଳଷ୍ଟେସନ କ୍ଷତିଗ୍ରସ୍ତ ହୋଇଛି । ଏହି ଆକ୍ରମଣରେ ୧୩ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ରୁଷ ପକ୍ଷରୁ ଓଡେସା ବନ୍ଦର ଉପରେ ମଧ୍ୟ ମିସାଇଲ ମାଡ କରାଯାଇଛି । ଖାଦ୍ୟ ଯୋଗାଣ ପାଇଁ ଏହି ବନ୍ଦର ଖୋଲିବାକୁ ରୁଷ ଓ ୟୁକ୍ରେନ ମଧ୍ୟରେ ଚୁକ୍ତି ହେବା ପରେ ରୁଷ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବାରୁ ତାହାକୁ ସବୁ ମହଲରୁ ନିନ୍ଦା କରାଯାଉଛି ।

ଅନ୍ୟପକ୍ଷରେ ଯୁକ୍ରେନ ସେନା ମଧ୍ୟ ରୁଷ ଆକ୍ରମଣର ଜବାବ ଦେଇଛି । ରୁଷ ଅଧିନରେ ଥିବା ଅଂଚଳ ଦକ୍ଷିଣ ଖେରସାନ ଉପରେ ୟୁକ୍ରେନ ସେନା ପକ୍ଷରୁ ଦୂରଗାମୀ ରକେଟ୍ ଆକ୍ରମଣ କରାଯାଇଛି । ରୁଷ ସେନାଙ୍କ ଯୋଗାଣ ଲାଇନକୁ କ୍ଷତିଗ୍ରସ୍ତ କରିବାକୁ ୟୁକ୍ରେନ ପକ୍ଷରୁ ନାଇପର ନଦୀ ଉପରେ ଥିବା ପୋଲ ଉପରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ପୋଲଟି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।

 

ସମ୍ବନ୍ଧିତ ଖବର