ନୂଆଦିଲ୍ଲୀ: ୟୁକ୍ରେନ୍-ରୁଷ୍ ସୀମାରେ ଅଶାାନ୍ତ ସ୍ଥିତି ଲାଗି ରହିଛି। କ୍ଷେପଣାସ୍ତ୍ର ପରୀକ୍ଷଣ, ସାମରିକ ସମରାଭ୍ୟାସ ରୁଷ ଜାରି ରଖିଛି। ୟୁକ୍ରେନ୍ ଉପରେ ରୁଷ୍ ଯେକୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଆମେରିକା ଦାବି କରିଛି। ଆଜି ୟୁକ୍ରେନ୍ ପାର୍ଶ୍ବରୁ ସୀମା ନିକଟରେ ପ୍ରବଳ ଗୁଳିଗୋଳା ବର୍ଷା ହୋଇଥିବା ରୁଷ୍ ଦାବି କରିଛି। ୟୁକ୍ରେନ୍ ପାର୍ଶ୍ବରୁ କିଛି ଅନୁପ୍ରବେଶକାରୀ ରୁଷ୍ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରିବାବେଳେ ରୁଷ୍ ସେନା ଏହାର ଜୋରଦାର ବିରୋଧ କରି ଏହି ଉଦ୍ୟମକୁ ପଣ୍ଡ କରିଛନ୍ତି ବୋଲି ଦାବି ହୋଇଛି। ରୁଷ୍ ସେନା ୟୁକ୍ରେନ୍ର ୫ ଷଡ଼୍ଯନ୍ତ୍ରକାରୀଙ୍କୁ ହତ୍ୟା କରିଛି । ୟୁକ୍ରେନ୍ର କିଛି ଅସ୍ତ୍ର ବୋଝେଇ ଗାଡ଼ିକୁ ଧ୍ବଂସ କରାଯାଇଛି ବୋଲି ରୁଷ୍ ସେନା କହିଛି । କିନ୍ତୁ ୟୁକ୍ରେନ୍ ଏପରି ଦାବିକୁ ଖଣ୍ଡନ କରିଛି। ୟୁକ୍ରେନ୍ କହିଛି ରୋସ୍ତଭ ଅଞ୍ଚଳରେ ୟୁକ୍ରେନର କୌଣସି ସେନା ମୁତୟନ ହୋଇନାହାନ୍ତି। ଅନ୍ୟପକ୍ଷେ ରୁଷ୍ର ଏଫ୍ଏସ୍ବି(ସଂଘୀୟ ସୁରକ୍ଷା ସେବା) କହିଛି, ୟୁକ୍ରେନ୍ ପାର୍ଶ୍ବରୁ ଗୋଳାମାଡ଼ ଦ୍ବାରା ରୁଷ୍ର ରୋସ୍ତଭ ଅଞ୍ଚଳ ସ୍ଥିତ ଏକ ସୀମା ସୁରକ୍ଷା ପୋଷ୍ଟ୍ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଏଥିଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ରୁଷ୍ ଦାବି କରିଛି। କିନ୍ତୁ ୟୁକ୍ରେନ୍ ରୁଷ୍ର ଏହି ଦାବିକୁ ଅସ୍ବୀକାର କରିଛି।
ତେବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର କହିଛନ୍ତି ଯେ, ପୂର୍ବ ୟୁକ୍ରେନ୍ର ଦୁଇଟି ଅଲଗାବାଦୀ ରିପବ୍ଲିକ୍କୁ ସେ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେଇପାରନ୍ତି। ୟୁକ୍ରେନ୍ର ଦୁଇ ବିଦ୍ରୋହୀ ନେତା ଡୋନେସ୍କ ଓ ଲୁଗାଂସ୍କ ସେମାନଙ୍କୁ ସ୍ବୀକୃତି ଦେବା ଲାଗି ସୋମବାର ସକାଳେ ମସ୍କୋକୁ ଅନୁରୋଧ କରିବା ପରେ ପୁଟିନ ଏପରି ଘୋଷଣା କରିଛନ୍ତି। ତେବେ ଏହା ୟୁକ୍ରେନ୍ ସଂକଟକୁ ଆହୁରି ବଢ଼ାଇବ ବୋଲି ଆଶଙ୍କା କରାଯାଉଛି।