ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧ ପରିସ୍ଥିତି ମଧ୍ୟରେ ହଜାରରୁ ଊର୍ଧ୍ବ ଭାରତୀୟ ଫସି ରହିଛନ୍ତି। ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏଯାବତ ଅନେକ ଛାତ୍ରଛାତ୍ରୀ ସେହି ଭୟାବହ ପରିସ୍ଥିତିରୁ ମୁକୁଳି ନିଜ ଘରକୁ ଫେରି ଆସିଛନ୍ତି।

Advertisment

ଏହି କ୍ରମରେ ଲକ୍ଷ୍ମୌର ଆକାଂକ୍ଷା ଚୌରସିଆ ଓ ଜୁନୈଦ ଅଂସାରି ନିଜ ଘରକୁ ପରିବାର ପାଖକୁ ସୁରକ୍ଷିତ ଫେରି ଆସିଛନ୍ତି। ତେବେ ଏହି ଯାତ୍ରା କିଭଳି ଥିଲା ସେ ନେଇ ଦୁହେଁ ବଖାଣିଲା ବେଳକୁ ସେମାନଙ୍କ ଆଖି ଭରି ଯାଇଥିଲା, ଲୋମମୂଳ ଟାଙ୍କୁରି ଉଠିଥିଲା।

ଘରକୁ ଫେରି ଆସିଥିବା ଆକାଂକ୍ଷା ଚୌରସିଆ କହିଛନ୍ତି, ସେଠାରେ ପ୍ରତିମୁହୂର୍ତ୍ତରେ ଆକ୍ରମଣ ଜାରି ରହିଛି। ଆମେ ନିଜେ ଏକ ବସ କରି ନିଜ ଦାୟିତ୍ବରେ ବାହାରି ପଡ଼ିଥିଲୁ। ରୋମାନିୟନ ସୀମାରେ ଏବେ ବି ପାଖାପାଖି ଦୁଇହଜାର ଲୋକ ଫସି ରହିଛନ୍ତି। ୟୁକ୍ରେନ ପକ୍ଷରୁ ଏଭଳି ଫସିଥିବା ଲୋକଙ୍କୁ ଖାଦ୍ୟ ଓ ପାନୀୟର କୌଣସି ବ୍ୟବସ୍ଥା ନାହିଁ। ଲୋକେ ଏହି କାରଣରୁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି ଆଉ ଜଣେ ଛାତ୍ର ଜୁନୈଦ ଅଂସାରି କହିଛନ୍ତି, ସେଠାରେ ପରିସ୍ଥିତି ଠିକ ନାହିଁ। ଲୋକେ ସେଠାରୁ ମୁକୁଳିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି କିନ୍ତୁ ମୁକୁଳି ପାରୁ ନାହାନ୍ତି। ତେଣୁ ଭାରତ ସରକାର ଉକ୍ତ ଛାତ୍ରଛାତ୍ରୀ/ଲୋକଙ୍କୁ ଯଥାଶୀଘ୍ର ଉଦ୍ଧାର କରନ୍ତୁ।

ଆମେ ୬୦ଜଣ ମିଶି ଏକ ଘରୋଇ ବସ ଠିକ କରି ସେଠାରୁ ବାହାରି ଥିଲୁ। ବସ ଚାଳକ ଆମକୁ ୮କିଲୋମିଟର ପୂର୍ବରୁ ଓହ୍ଲାଇ ଦେଇଥିଲେ। ଆମେ ଚାଲିଚାଲି ସୀମା ପର୍ଯ୍ୟନ୍ତ ପହଞ୍ଚିଥିଲୁ। ସେଠାରୁ ପହଞ୍ଚିବା ପରେ ଆମେ ସୀମା ଅତିକ୍ରମ କରି ପାରି ନଥିଲୁ। କାରଣ ସେଠାରେ ବହୁତ ଭିଡ ଥିଲା। ଏଥିସହିତ ପୁଲିସ ବି ଗୁଳିଚାଳନା ଆରମ୍ଭ କରି ଦେଇଥିଲା। ଭଗବାନଙ୍କୁ ଡାକିଡାକି ବହୁତ କଷ୍ଟରେ ଆମେ ସୀମା ପାର କରିଥିଲୁ।