କିବ୍/ମସ୍କୋ: ଯୁଦ୍ଧର ଚତୁର୍ଥ ବର୍ଷରେ ରୁଷ୍ ଓ ଯୁକ୍ରେନ ପରସ୍ପରର ବିଦ୍ୟୁତ୍ ଓ ଗ୍ୟାସ୍ ପ୍ରତିଷ୍ଠାନ ଉପରେ ଅତି ପ୍ରଚଣ୍ଡ ଓ ନିଷ୍ଠୁର ଆକ୍ରମଣ ଜାରି ରଖିଛନ୍ତି। ଏହି ‘ଶକ୍ତି ଯୁଦ୍ଧ’ କାରଣରୁ ଆସନ୍ତା ଶୀତ ଯୁକ୍ରେନ ପାଇଁ ସବୁଠାରୁ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ୟୁକ୍ରେନ ଆତ୍ମସମର୍ପଣ ପାଇଁ ବାଧ୍ୟ ହୋଇପାରେ ବୋଲି ଆମେରିକା ଓ ୟୁରୋପର ରଣନୀତିଜ୍ଞମାନେ ମତ ରଖିଛନ୍ତି। ଗତ ବୁଧବାର ରୁଷ୍ ୫୦୦ରୁ ଅଧିକ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ବର୍ଷା କରି ଯୁକ୍ରେନର ବିଦ୍ୟୁତ୍ ଗ୍ରିଡ୍କୁ ଧ୍ୱଂସ କରିଦେଇଛି। ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଦେଶର ଅଧିକାଂଶ ଅଞ୍ଚଳରେ ଜରୁରିକାଳୀନ ବ୍ଲାକ୍ଆଉଟ୍ ଲାଗୁ ହୋଇଛି। ଅକ୍ଟୋବର ମାସରେ ରୁଷ୍ ୬୦% ଯୁକ୍ରେନୀୟ ଗ୍ୟାସ୍ ଉତ୍ପାଦନ କ୍ଷମତା ନଷ୍ଟ କରିଦେଇଥିବା ବେଳେ ଏହି ଧ୍ବଂସଲୀଳା ଜାରି ରଖିଛି। ଶୀତ ପାଇଁ ୧୩.୨ ବିଲିୟନ ଘନ ମିଟର ଗ୍ୟାସ୍ ମହଜୁଦ କରିବା ପାଇଁ ୟୁକ୍ରେନର ଯୋଜନା ଭଣ୍ଡୁର ହୋଇଯାଇଛି।
ୟୁକ୍ରେନ ବିଦ୍ୟୁତ୍ ଗ୍ରିଡ୍ ଧ୍ବଂସ
ଶକ୍ତି କ୍ଷେତ୍ର ଉପରେ ଦୁଇ ପକ୍ଷର ନିର୍ମମ ଆକ୍ରମଣ
ଅନ୍ୟପକ୍ଷରେ ଏହାର ପ୍ରତିଶୋଧରେ ଯୁକ୍ରେନ ରୁଷ୍ର ତୈଳ ଓ ଗ୍ୟାସ୍ କ୍ଷେତ୍ର ଉପରେ ନିରବଚ୍ଛିନ୍ନ ଆକ୍ରମଣ ଜାରି ରଖିଛି। ଅଗଷ୍ଟରୁ ଏପର୍ଯ୍ୟନ୍ତ ୪୫ଟି ରୁଷୀୟ ତୈଳ ବିଶୋଧନାଗାର ଓ ଡିପୋ ଧ୍ୱଂସ ହୋଇଛି। ୧୪ ନଭେମ୍ବରରେ କୃଷ୍ଣ ସାଗର ବନ୍ଦରରେ ବଡ଼ ଆକ୍ରମଣ ପରେ ରୁଷ୍ର ଅଶୋଧିତ ତୈଳ ରପ୍ତାନି କିଛି ଦିନ ବନ୍ଦ ରହିଥିଲା। ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି, ‘ରୁଷିଆ ଆମକୁ ଅନ୍ଧାରରେ ରଖିବାକୁ ଚାହୁଛି, କିନ୍ତୁ ଆମେ ପ୍ରତ୍ୟୁତ୍ତର ଦେବୁ।’ ଶୀତ ମୁକାବିଲା ପାଇଁ ୨ ବିଲିୟନ ୟୁରୋ ଆବଶ୍ୟକ ଥିବା ସେ କହିଛନ୍ତି। ସାମରିକ ବିଶେଷଜ୍ଞମାନେ କହିଛନ୍ତି, ୨୦୨୨ ଆକ୍ରମଣ ପରେ ଏହା ହେବ ସବୁଠାରୁ କଠୋର ଶୀତ। ରାଜଧାନୀ କିବ୍ରେ ଦିନକୁ ୮ରୁ ୧୬ ଘଣ୍ଟା ବିଦ୍ୟୁତ୍ ଯୋଗାଣ ବନ୍ଦ ରହୁଛି ଏବଂ ଆଗକୁ ୟୁକ୍ରେନ ରୁଷ୍ର ଆକ୍ରମଣ ସମ୍ମୁଖରେ ତିଷ୍ଠି ପାରିବ ନାହିଁ । ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ୨୮ ଦଫା ଶାନ୍ତି ଯୋଜନା ପ୍ରକାଶ ପାଇଛି। ଏହା କାର୍ଯ୍ୟକାରୀ କରିବାକୁ ୟୁକ୍ରେନ ଉପରେ ଚାପ ବଢ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/23/gdagdagzvccv-2025-11-23-03-40-42.jpg)