ରୁଷିଆକୁ କଡ଼ା ଜବାବ୍ ଦେବ ୟୁକ୍ରେନ୍: ଆମେରିକା ଯୋଗାଇବ ପ୍ୟାଟ୍ରିୟଟ୍ କ୍ଷେପଣାସ୍ତ୍ର

ୱାଶିଂଟନ: ୟୁକ୍ରେନକୁ ସବୁଠାରୁ ବଡ ସାମରିକ ସହାୟତା ପ୍ରଦାନ କରିବାକୁ ଆମେରିକା ଘୋଷଣା କରିଛି। ଏହା ଅନ୍ତର୍ଗତ ଆମେରିକା ୟୁକ୍ରେନକୁ ୬ ବିଲିୟନ ଡଲାରର ସାମରିକ ସହାୟତା ପ୍ରଦାନ କରିବ। ଯାହା ମାଧ୍ୟମରେ ୟୁକ୍ରେନ ଅସ୍ତ୍ରଶସ୍ତ୍ର କ୍ରୟ କରିବ, ଯେଉଁଥିରେ ପ୍ୟାଟ୍ରିୟଟ୍ ଇଣ୍ଟରସେପ୍ଟର ଏବଂ ନାସାମ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏସବୁ ସାହାଯ୍ୟରେ ରୁଷିଆର ବାୟୁ ଆକ୍ରମଣକୁ ଏଡ଼ାଇବା ପାଇଁ ୟୁକ୍ରେନକୁ ଆବଶ୍ୟକ ସହାୟତା ମିଳିପାରିବ। ଦୀର୍ଘ ସମୟ ଧରି ପ୍ୟାଟ୍ରିୟଟ୍ କ୍ଷେପଣାସ୍ତ୍ର ଯୋଗାଇବା ପାଇଁ ୟୁକ୍ରେନ ପକ୍ଷରୁ ଏକ ଦାବି କରାଯାଉଥିଲା।

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଶନିବାର ୟୁକ୍ରେନକୁ ସାମରିକ ସହାୟତା ଘୋଷଣା କରିଛନ୍ତି । ‘ୟୁକ୍ରେନ ସିକ୍ୟୁରିଟି ଆସିଷ୍ଟାଣ୍ଟ ଇନିସିଏଟିଭ୍’ (ୟୁଏସଏଆଇ) ଅନ୍ତର୍ଗତ ଏହି ସହାୟତା ଦିଆଯାଇଛି, ଯାହା ସାହାଯ୍ୟରେ ୟୁକ୍ରେନ ଆମେରିକୀୟ କମ୍ପାନୀମାନଙ୍କଠାରୁ ନୂତନ ଅସ୍ତ୍ରଶସ୍ତ୍ର ହାସଲ କରିବ ବୋଲି ସେ କହିଛନ୍ତି। ପେଣ୍ଟାଗନ୍‌ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅଷ୍ଟିନ୍ କହିଛନ୍ତି ଏହା ହେଉଛି ସର୍ବବୃହତ ସାମରିକ ସହାୟତା ଏବଂ ଖୁବ ଶୀଘ୍ର ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ। ଏହି ସାମରିକ ସହାୟତା ମାଧ୍ୟମରେ ୟୁକ୍ରେନ ଆମେରିକାରୁ ଡ୍ରୋନ୍ ଆଣ୍ଟି ସିଷ୍ଟମ, ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବାୟୁ-ସ୍ଥଳ ଅସ୍ତ୍ର ପାଇବ।

ୟୁକ୍ରେନକୁ ୬୦ ବିଲିୟନ ଡଲାରର ସହାୟତା ପ୍ୟାକେଜ ଦେବାକୁ ଆମେରିକା ଘୋଷଣା କରିଥିଲା । ଏହି ୬ ବିଲିୟନ ଡଲାରର ସାମରିକ ସହାୟତା ସେହି ପ୍ୟାକେଜ୍‌ର ଏକ ଅଂଶ ବୋଲି ସେ କହିଛନ୍ତି। ଏହି ସହାୟତା ଦ୍ବାରା ରୁଷିଆ ବିରୋଧରେ ଲଢ଼େଇରେ ୟୁକ୍ରେନକୁ ବହୁତ ସାହାଯ୍ୟ ମିଳିପାରିବ। ବିଶେଷକରି ୟୁକ୍ରେନ ଆମେରିକାରୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅନ୍ତର୍ଗତ ପ୍ୟାଟ୍ରିୟଟ୍ କ୍ଷେପଣାସ୍ତ୍ର ଏବଂ ନାସାମ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ପାଇବ। ଆମେରିକାର ସାମରିକ ସାହାଯ୍ୟକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏନେଇ ଖୁସି ବ୍ୟକ୍ତ କରିଛନ୍ତି। ଜେଲେନସ୍କି କହିଛନ୍ତି ରୁଷିଆର ବାୟୁ ଆକ୍ରମଣର ମୁକାବିଲା ପାଇଁ ୟୁକ୍ରେନ୍‌କୁ ଅଧିକ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଆବଶ୍ୟକତା ରହିଛି।

ଅଷ୍ଟିନ କହିଛନ୍ତି ଗତ ଦୁଇ ବର୍ଷ ମଧ୍ୟରେ ଆମେରିକା ଏବଂ ସହଯୋଗୀ ଦେଶ ୟୁକ୍ରେନକୁ ୭୦ ମଧ୍ୟମରୁ ଦୂର ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ହଜାରରୁ ଅଧିକ କ୍ଷେପଣାସ୍ତ୍ର, ୩୦୦୦ ଶକ୍ତିଶାଳୀ ଯାନ ସହିତ ୮୦୦ ଟ୍ୟାଙ୍କ ଏବଂ ୧୦ ହଜାର ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ଦେଇଛନ୍ତି। ୟୁକ୍ରେନ ଖୁବ୍ ଶୀଘ୍ର ଏଫ-୧୬ ଯୁଦ୍ଧ ବିମାନ ପାଇବ। ୟୁକ୍ରେନକୁ ସାମରିକ ସହାୟତା ପ୍ରଦାନ କରିବାବେଳେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଯଦି ୟୁକ୍ରେନକୁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ ନିଜ ଦଖଲକୁ ନିଅନ୍ତି ତେବେ ପୁଟିନଙ୍କ ପ୍ରଭାବ ସମଗ୍ର ୟୁରୋପରେ ଦୃଶ୍ୟମାନ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର