ମସ୍କୋ: ଆମେରିକା ଓ ନାଟୋ ସାମରିକ ମେଣ୍ଟର ଚାପ ଓ ଚେତାବନୀକୁ ଖାତିର ନକରି ରୁଷ୍‌ ଏବେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଦ୍ବାରା ୟୁକ୍ରେନ୍‌ ଦଖଲ ପାଇଁ ପ୍ରସ୍ତୁତ ହେଉଛି। ରୁଷ୍‌ ସେନା ୟୁକ୍ରେନ୍‌କୁ ତିନି ପଟୁ ଘେରି ରହିଛନ୍ତି ଏବଂ ରୁଷ୍‌ର ସମରାଭ୍ୟାସ ଆଜି ୟୁକ୍ରେନ୍‌ର ଉତ୍ତରାଞ୍ଚଳକୁ ମଧ୍ୟ ବ୍ୟାପି ଯାଇଛି। ରୁଷ୍‌ ଓ ବେଲାରୁଷ୍‌ର ମିଳିତ ବାହିନୀ ଉତ୍ତରାଞ୍ଚଳରେ ନୂଆ ଅଞ୍ଚଳକୁ ସେମାନଙ୍କ ୱାର୍‌ଜୋନ୍‌ରେ ପରିଣତ କରିଛନ୍ତି। ୟୁକ୍ରେନ୍‌କୁ ଚେତାବନୀ ଦେଇ ରୁଷ୍‌ ଗତକାଲିଠାରୁ ଆରମ୍ଭ କରିଥିବା ବିଭିନ୍ନ ରେଂଜ୍‌ର କ୍ଷେପଣାସ୍ତ୍ର ପରୀକ୍ଷା ଆଜି ମଧ୍ୟ ଜାରି ରହିଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି। ମାକ୍ରନ୍‌ ଓ ପୁଟିନ୍‌ଙ୍କ ମଧ୍ୟରେ ପ୍ରାୟ ୧୦୦ ମିନିଟ୍‌ ଧରି ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଜି ମଧ୍ୟ କ୍ରେମ୍‌ଲିନ ମୁଖପାତ୍ର କହିଛନ୍ତି ଯେ ରୁଷ୍‌ ୟୁକ୍ରେନ୍‌କୁ ଦଖଲ କରିବା ପାଇଁ କୌଣସି ଯୋଜନା କରୁନାହିଁ ଏବଂ ଏକ ବୃହତ୍ତ ସାମରିକ ରଣନୀତିକ ନିଷ୍ପତ୍ତି ଅନୁଯାୟୀ ସମରାଭ୍ୟାସ ଚାଲିଛି। ତେବେ ପଶ୍ଚିମ ରାଷ୍ଟ୍ରମାନେ ଲଗାତାର ରୁଷ୍‌ ଆକ୍ରମଣ କରିବ ବୋଲି ବୟାନ ଦେଉଥିବାରୁ ଏହା ଉତ୍ତେଜନା ବଢ଼ାଉଛି ଏବଂ ପରିସ୍ଥିତିକୁ ଜଟିଳ କରିଦେଉଛି ବୋଲି ରୁଷ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ କହିଛନ୍ତି। ୟୁକ୍ରେନ୍‌ ଆଜି ରୁଷ୍‌ ସମର୍ଥିତ ବିଦ୍ରୋହୀ ସଂଗଠନଗୁଡ଼ିକୁ ଟାର୍ଗେଟ୍‌ କରି ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାରୁ ରୁଷ୍‌ ଏହାର ଜବାବରେ ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା କରି ୟୁକ୍ରେନ୍‌କୁ ଚରମବାଣୀ ଶୁଣାଇ ଦେଇଛନ୍ତି। ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରମାନଙ୍କ ଦ୍ବାରା ଆଜି ମଧ୍ୟ ରୁଷ୍‌ ବିରୋଧରେ ବିଭିନ୍ନ କଟକଣା ଚେତାବନୀ ଦିଆଯାଇଛି ଏବଂ ଏହାଦ୍ବାରା ରୁଷ୍‌ର ଅର୍ଥନୀତି ଓ ବାଣିଜ୍ୟିକ କାରବାର ଗୁରୁତର ପ୍ରଭାବିତ ହେବ ବୋଲି କୁହାଯାଇଛି। ତେବେ ରୁଷ୍‌ ଏଭଳି ଚେତାବନୀକୁ ଅଣଦେଖା କରିବା ସହ ରାଷ୍ଟ୍ରହିତରେ ସମସ୍ତ ସାମରିକ ବିକଳ୍ପ ଖୋଲା ରହିବ ବୋଲି ଚେତାବନୀ ଦେଇଛି। ଗୋଟିଏ ପଟେ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତି ଓ ଅନ୍ୟପଟେ ଆକ୍ରମଣ ଯୋଜନା ନାହିଁ ବୋଲି ରୁଷ୍‌ ବାରମ୍ବାର କହୁଥିବାରୁ ନାଟୋ ସଦସ୍ୟ ରାଷ୍ଟ୍ରମାନେ ଚିନ୍ତାରେ ପଡ଼ିଛନ୍ତି।

Advertisment

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଆଜି କହିଛନ୍ତି ଯେ ୧୯୪୫ ପରଠାରୁ ୟୁରୋପ୍‌ରେ ସବୁଠାରୁ ବଡ଼ ଓ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ରୁଷ୍‌ ଯୋଜନା କରିଛି ଏବଂ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବା ମଧ୍ୟ ଆରମ୍ଭ କରିଛି। ୟୁକ୍ରେନ୍‌ର ରାଜଧାନୀ କିବ୍‌କୁ ସଂପୂର୍ଣ୍ଣ ଦଖଲ କରିବା ପୁଟିନଙ୍କ ଲକ୍ଷ୍ୟ ଏବଂ ଏହାକୁ ସାକାର କରିବା ପାଇଁ ରୁଷ୍‌ ସୈନିକ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ୁଛି ବୋଲି ଗୁଇନ୍ଦା ରିପୋର୍ଟ ଆଧାରରେ ବୋରିସ୍‌ କହିଛନ୍ତି। ତେବେ ଏଭଳି ଭୀଷଣ ଯୁଦ୍ଧରେ ମୃତ୍ୟୁର ତାଣ୍ଡବ ସୃଷ୍ଟି ହେବ ଏବଂ ଏକ ଭୟାନକ ମାନବୀୟ ସଙ୍କଟକୁ ସାମ୍ନା କରିବାକୁ ହେବ ବୋଲି ସେ କହିଛନ୍ତି। ଏଭଳି ସ୍ଥିତିରେ ଆମେ ୟୁକ୍ରେନ୍‌କୁ ସମର୍ଥନ କରିବାକୁ ବଦ୍ଧପରିକର ବୋଲି ବୋରିସ୍‌ ଦୋହରାଇଛନ୍ତି।