କିବ୍ : ଫେବ୍ରୁଆରି ୨୪ ତାରିଖରେ ରୁଷ୍ ୟୁକ୍ରେନ୍ରେ ଆକ୍ରମଣ କରିବା ପରଠାରୁ ଏଯାବତ ମୋଟ୍ ୧୫୩ ଶିଶୁଙ୍କ ମୃତ୍ୟୁ ହେଲାଣି। ୨୪୫ ଶିଶୁ ଆହତ ହୋଇଛନ୍ତି। କିବ୍ରେ ସର୍ବାଧିକ ୭୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଦକ୍ଷିଣ ପୂର୍ବ ଅଞ୍ଚଳ ଡୋନେସ୍କରେ ୬୫, ଖାରକିଭର ପୂର୍ବ ଅଞ୍ଚଳରେ ୪୬ ଶିଶୁଙ୍କ ମୃତ୍ୟୁ ହୋଇଛି। ରୁଷ୍ ଆକ୍ରଣ ଯୋଗୁଁ ୟୁକ୍ରେନ୍ରେ ଭୟଙ୍କର ବିପର୍ଯ୍ୟୟ ଆସିଛି। ବୋମାମାଡ଼ ଏବଂ ଗୋଳାବର୍ଷା ଯୋଗୁଁ ୮୫୯ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ଧ୍ବଂସ ହୋଇଛି। ଡୋନେସ୍କ, ଖାରକିଭ, ମାଇକୋଲେବ, ସୁମି, କିବ୍, ଖେରସନ, ଜିଟୋମିର, ଚେର୍ନିହିବ ଅଞ୍ଚଳରେ ଅତି ଦୟନୀୟ ସ୍ଥିତି ଉପୁଜିଛି। ମାଇକୋଲେବ୍ରେ ହୋଇଥିବା ରକେଟ୍ ମାଡ଼ ଘଟଣାରେ ମୃତ୍ୟୁସଂଖ୍ୟା ୨୮କୁ ବୃଦ୍ଧି ପାଇଛି।
ଇତି ମଧ୍ୟରେ ରୁଷ୍ ସେନା ଚେର୍ନୋବିଲ୍ ପରମାଣୁ ଶକ୍ତିକେନ୍ଦ୍ର ଛାଡ଼ି ସାରିଛନ୍ତି। ହାଇ ଡୋଜ୍ ବିକିରଣଜନିତ ଅସୁସ୍ଥତା ପାଇଁ ରୁଷ୍ ସେନା ଚେର୍ନୋବିଲ୍ ପରମାଣୁ ଶକ୍ତି କେନ୍ଦ୍ର ଛାଡ଼ି ଦେଇଛନ୍ତି ବୋଲି ୟୁକ୍ରେନ୍ ଦାବି କରିଛି। ୟୁକ୍ରେନ୍ ସେନା ମଧ୍ୟ ଉକ୍ତ ଅଂଚଳ ଛାଡ଼ିଛନ୍ତି ବୋଲି ଏକ ପରମାଣୁ ଶକ୍ତି କମ୍ପାନି ଦାବି କରିଥିବା ବେଳେ ଜାତିସଂଘ ପରମାଣୁ ୱାଚଡଗ୍ ଇଣ୍ଟରନାସନାଲ୍ ଆଟମିକ୍ ଏନର୍ଜି ଏଜେନ୍ସି ଏହାର ତଦନ୍ତ କରୁଛନ୍ତି। ଏକ ସୂଚନାନୁଯାୟୀ ବିକିରଣ ସଂସ୍ପର୍ଶରେ ଆସିବାପରେ ରୁଷ୍ ସୈନିକମାନଙ୍କୁ ଏକ ସ୍ବତନ୍ତ୍ର ସାମରିକ ପ୍ରତିଷ୍ଠାନକୁ ପଠାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/ukr.jpg)