ୱାସିଂଟନ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଶନିବାର ୫୦୦ତମ ଦିନରେ ପହଞ୍ଚିଛି ଏବଂ ଯୁଦ୍ଧ ଶେଷ ହେବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ତେବେ ଆକ୍ରମଣର ତୀବ୍ରତା ଗତ କିଛିମାସ ହେଲା ହ୍ରାସ ପାଇଛି। କିବ୍ ଆଶା କରୁଛି ଯେ ଏହା ରୁଷ୍ ଅଧିକାର କରିନେଇଥିବା ଅଞ୍ଚଳକୁ ପୁଣି ଫେରାଇ ଆଣିବାରେ ସଫଳ ହେବ। ଜାତିସଂଘର ହ୍ୟୁମ୍ୟାନ ରାଇଟ୍ସ ମନିଟରିଂ ମିସନ ଇନ୍ ୟୁକ୍ରେନ୍ (ଏଚ୍ଆର୍ଏମ୍ଏମ୍ୟୁ) ଅନୁସାରେ ଗତବର୍ଷ ଫେବ୍ରୁଆରି ୨୪ରୁ ରୁଷ୍ ଆକ୍ରମଣ କରିବା ପରଠାରୁ ଅଦ୍ୟାବଧି ୫୦୦୦ ଶିଶୁଙ୍କ ସମେତ ୯୦୦୦ରୁ ଊର୍ଦ୍ଧ୍ବ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ସଂକଟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି।
ରୁଷ୍ ଏବେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଆସୁଛି, ଯେଉଁଥିରେ ମୃତ୍ୟୁସଂଖ୍ୟା ବଢ଼ିବା ସହ ବେସାମରିକ ଅଞ୍ଚଳର ଭିତ୍ତିଭୂମି ନଷ୍ଟ ହେଉଛି। କିବ୍ ବି ବିଶେଷତଃ ଜାପୋରିଝିଆ ଓ ବାଖମୁଟ ଅଞ୍ଚଳରେ ଜୋରଦାର ପ୍ରତିଆକ୍ରମଣ କରୁଛି। ବର୍ତ୍ତମାନ ରୁଷ୍ ବିରୋଧରେ ପ୍ରତିଆକ୍ରମଣ କରିବା ପାଇଁ ଆମେରିକା ୟୁକ୍ରେନ୍କୁ କ୍ଲଷ୍ଟର ବୋମା ଦେବ ବୋଲି ଘୋଷଣା କରିଛି। ୟୁକ୍ରେନ୍ ପାଇଁ ଆମେରିକା ଦେବାକୁ ଘୋଷଣା କରିଥିବା ୮୦୦ ନିୟୁତ ଡଲାର ସୁରକ୍ଷା ପ୍ୟାକେଜ୍ର ଏହା ଏକ ଅଂଶ। ଏହି ଅସ୍ତ୍ର ପାଇବା ପରେ ଆମେରିକା ୟୁକ୍ରେନ୍କୁ ଦେଇଥିବା ଅସ୍ତ୍ର ସାହାଯ୍ୟର ମୋଟ ମୂଲ୍ୟ ୪୦୦୦ କୋଟି ଡଲାରକୁ ବୃଦ୍ଧି ପାଇବ।
କ୍ଲଷ୍ଟର ବୋମା ପଠାଇବ ଆମେରିକା
ବାଖମୁଟ ଦଖଲ ପାଇଁ ନିର୍ଣ୍ଣାୟକ ଲଢ଼େଇ
ୟୁକ୍ରେନ୍ର ନାଟୋ ସଦସ୍ୟତା ଲାଗି ସମର୍ଥନ ହାସଲ ନିମନ୍ତେ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ତୁର୍କୀ, ବୁଲଗେରିଆ, ଚେକ୍ ରିପବ୍ଲିକ୍ ଓ ସ୍ଲୋଭାକିଆ ଗସ୍ତ କରିଥିଲେ। ଜୁଲାଇ ୧୧-୧୨ରେ ଲିଥୁଆନିଆର ରାଜଧାନୀ ଭିଲନିୟସଠାରେ ନାଟୋର ଶିଖର ସମ୍ମିଳନୀ ହେବାକୁ ଥିବାବେଳେ ଜେଲେନ୍ସ୍କିଙ୍କ ଏହି ଗସ୍ତ ଥିଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଇତିମଧ୍ୟରେ ୟୁକ୍ରେନ୍ ସେନା ବାଖମୁଟକୁ ପୁଣି ନିଜ ଦଖଲକୁ ନେବା ପାଇଁ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛି। ଅନେକ ମାସର ଲଢ଼େଇ ପରେ ଗତ ମେ ମାସରେ ରୁଷ୍ ସେନା ବାଖମୁଟ ଦଖଲ କରିଥିଲା। ୟୁକ୍ରେନ୍ ଯୁଦ୍ଧରେ ରୁଷ୍ର ୮୦ ହଜାରରୁ ଅଧିକ ସୈନିକ ନିହତ ହେଲେଣି ବୋଲି ପଶ୍ଚିମ ରାଷ୍ଟ୍ରମାନେ ଦାବି କରିଆସୁଥିବା ବେଳେ ରୁଷ୍ ଏହାକୁ ଖଣ୍ଡନ କରିଛି। ଅନ୍ୟପକ୍ଷରେ ୟୁକ୍ରେନ୍ ୩୦ ହଜାରରୁ ଅଧିକ ସୈନିକଙ୍କୁ ହରାଇଥିବା ଆମେରିକା ଆକଳନ କରିଛି।