ନୂଆଦିଲ୍ଲୀ: ୟୁକ୍ରେନ୍ ଯୁଦ୍ଧକୁ ଆଜି ୫୦ ଦିନ ପୂରିଥିବା ବେଳେ ରୁଷ୍ ଏହାର ଲକ୍ଷ୍ୟ ହାସଲ ପାଇଁ ବିଶାଳ ସାମରିକ ଅଭିଯାନ ଜାରି ରଖିଛି। ପୂର୍ବ ୟୁକ୍ରେନ୍ରେ ଏବେ ରୁଷ୍ ସୈନିକ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଉଛନ୍ତି। ମାରିୟୁପୋଲର ୯୦ ପ୍ରତିଶତ ଅଂଚଳ ରୁଷ୍ ସେନା ଦଖଲରେ ରହିଛି। ଅନ୍ୟପକ୍ଷରେ ରୁଷ୍ ମଧ୍ୟ ଆଜି ଏକ ବଡ଼ କ୍ଷତି ସହିଛି। କୃଷ୍ଣ ସାଗରରେ ଯୁଦ୍ଧର ଅଗ୍ରଣୀ ଭୂମିକା ନେଉଥିବା ରୁଷ୍ର ଏକ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ ଜାହାଜ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ଯୁଦ୍ଧ ଜାହାଜଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଜାହାଜରେ ବିପୁଳ ପରିଣାମରେ ବିସ୍ଫୋରକ ସାମଗ୍ରୀ ରହିଥିବାରୁ କ୍ଷେପଣାସ୍ତ୍ର ମାଡ଼ ପରେ ଏଥିରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ୟୁକ୍ରେନ୍ ମଧ୍ୟ ଦାବି କରିଛି ଯେ ଏହାର ସେନାବାହିନୀ ରୁଷ୍ର ଏକ ପ୍ରମୁଖ ଯୁଦ୍ଧ ଜାହାଜକୁ ନଷ୍ଟ କରିଦେଇଛନ୍ତି।
ସୀମାନ୍ତ ସହରରେ ୟୁକ୍ରେନ୍ ଗୋଳାବର୍ଷା କରୁଛି: ରୁଷ୍
ଇତି ମଧ୍ୟରେ ଖାରକିଭରେ ଲଢ଼େଇ ଜୋରଦାର ହୋଇଛି। ଖାରକିଭରେ ଗୋଳାବର୍ଷା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ରୁଷ୍ର ସ୍ବତନ୍ତ୍ର ଅପରେସନ୍ ଯୋଗୁଁ ଖାରକିଭରେ ଏକ ବ୍ରିଜ୍ ନଷ୍ଟ ହୋଇଯାଇଛି। ଯୁଦ୍ଧ ମଧ୍ୟରେ ଆଜି ୟୁକ୍ରେନ୍ରେ ୯ଟି ମାନବୀୟ କରିଡର ଖୋଲିଛି। ୟୁକ୍ରେନ୍ ଉପ ପ୍ରଧାନମନ୍ତ୍ରୀ ଇରିନା ଭେରେସ୍ଚୁକ୍ କହିଛନ୍ତି, ଦେଶର ପୂର୍ବ ଏବଂ ଦକ୍ଷିଣ ଭାଗରେ ୯ଟି ମାନବୀୟ କରିଡର ଖୋଲିଛି। ଅନ୍ୟପକ୍ଷେ ୟୁକ୍ରେନ୍ ରୁଷ୍ର ସୀମାନ୍ତ ସହରରେ ଗୋଳାବର୍ଷା କରୁଛି ବୋଲି ରୁଷ୍ର ଜଣେ ଗଭର୍ଣ୍ଣର କହିଛନ୍ତି। ୟୁକ୍ରେନ୍ର ନୀତି ଏହାକୁ ସଂପୂର୍ଣ୍ଣ ଧ୍ବଂସ ଆଡ଼କୁ ନେବ ବୋଲି ସେ କହିଛନ୍ତି। ୟୁକ୍ରେନ୍ରେ ଯୁଦ୍ଧ ଯୋଗୁଁ ୧୯୭ ଶିଶୁଙ୍କ ମୃତ୍ୟୁ ହୋଇଛି ବୋଲି ୟୁକ୍ରେନ୍ ଅଧିକାରୀ କହିଛନ୍ତି। ଯୁଦ୍ଧକୁ ୫୦ ଦିନ ପୂରିଥିବାବେଳେ ରୁଷ୍ ଡୋନବାସ୍ ଅଞ୍ଚଳର ସ୍ବାଧୀନତା ପାଇଁ ଏବେ ନିର୍ଣ୍ଣାୟକ ଲଢ଼େରେ ଅବତୀର୍ଣ୍ଣ ହୋଇଛି। ରୁଷ୍ କିବ୍ରେ ଲକ୍ଷ୍ୟ ହାସଲ କରି ନପାରିବାରୁ ଏହା ଡୋନବାସ୍ ଏବଂ ପୂର୍ବ ୟୁକ୍ରେନ୍ର ଅନ୍ୟ ଅଞ୍ଚଳ ଉପରେ ଫୋକସ୍ କରିଛି।