କିବ୍: ୟୁକ୍ରେନ୍‌ରେ ବାଖମୁଟ ପାଇଁ ଲଢ଼େଇ ଜୋରଦାର ଚାଲିଥିବା ବେଳେ ୟୁକ୍ରେନ୍‌କୁ ବାହାରୁ ଅସ୍ତ୍ର ଯୋଗାଣକୁ ବାଧା ଦେବା ପାଇଁ ରୁଷ୍ ସେନା ଚେଷ୍ଟା କରୁଛି। ତା’ ସତ୍ତ୍ବେ ୟୁକ୍ରେନ୍‌ ପ୍ରତିରୋଧ ଅବ୍ୟାହତ ରଖିଥିବା ବେଳେ ରୁଷ୍ ଜବରଦଖଲ କରିଥିବା କ୍ରିମିଆ ମାଟିରୁ ବି ହଟିଯିବା ପାଇଁ ଦାବି କରୁଛି। ଅନ୍ୟପକ୍ଷରେ ୟୁକ୍ରେନ୍‌ ଯୁଦ୍ଧରେ ଏବେ ଚୀନ୍‌ ଅସ୍ତ୍ର ଚର୍ଚ୍ଚାରେ ରହିଛି। ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କ କହିବା ଅନୁସାରେ ରୁଷ୍ ଦ୍ବାରା ବ୍ୟବହୃତ ଅସ୍ତ୍ରଶସ୍ତ୍ରରେ ଚୀନ୍ ଯନ୍ତ୍ରାଂଶ ଦେଖିବାକୁ ମିଳୁଛି।

Advertisment

କଟକଣା ଯୋଗୁ ରୁଷ୍ ପାଶ୍ଚାତ୍ୟ ଦେଶଗୁଡ଼ିକରୁ ଯନ୍ତ୍ରାଂଶ ମଗାଇ ପାରୁ ନ ଥିବାରୁ ଏହା ଚୀନ୍ ଉପରେ ନିର୍ଭର କରୁଥିବା ଏବଂ ଚୀନ୍ ଯନ୍ତ୍ରାଂଶ ଯୋଗାଉଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି। ଇଂଲଣ୍ଡ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବ ୟୁକ୍ରେନୀୟ ନଗରୀ ବାଖମୁଟରେ ରୁଷ୍ ସେନା ସାନି ଆକ୍ରମଣ ଆରମ୍ଭ କରିଛି। ଏଠାରେ ରୁଷ୍ ସବୁଠୁ ଦୀର୍ଘ ସମୟ ୮ ମାସ ଲଢ଼େଇ କଲାଣି ଏବଂ ଏଠାରେ ସବୁଠୁ ଭୟାନକ ଯୁଦ୍ଧ ସଂଘଟିତ ହୋଇଛି। ନଗରୀର ପଶ୍ଚିମାଞ୍ଚଳ ଏବେ ବି ୟୁକ୍ରେନ୍ ସେନା ନିୟନ୍ତ୍ରଣରେ ଥିବା ବେଳେ ଗତ ଦୁଇଦିନ ହେଲା ରୁଷ୍ ଏଠାରେ ପ୍ରବଳ ଗୁଳିଗୋଳା ମାଡ଼ କରୁଛି। ରୁଷ୍‌ର ଘରୋଇ ସାମରିକ ଠିକାଦାର ୱାଗନର ଗ୍ରୁପ୍ ବାଖମୁଟକୁ ଦଖଲ କରିବା ପାଇଁ ଅଭିଯାନର ନେତୃତ୍ବ ନେଉଥିବା ବେଳେ ଏବେ ରୁଷ୍‌ର ପାରମ୍ପରିକ ସେନା ମଧ୍ୟ ଏଥିରେ ସାମିଲ ହୋଇଯାଇଛି। ଫଳରେ ଯୁଦ୍ଧ ଅଧିକ ଭୟଙ୍କର ହୋଇଛି ଏବଂ ଉଭୟ ପକ୍ଷରୁ ମୃତାହତ ସଂଖ୍ୟା ବୃଦ୍ଧି ପାଉଛି।

କ୍ରେମ୍‌ଲିନ ଚାହୁଛି କ୍ରିମିଆ ଉପରେ ତଥା ରୁଷ୍ ଜବରଦଖଲ କରିଥିବା ଡୋନେସ୍କ, ଖେରସନ, ଲୁହାଂସ୍କ ଓ ଜାପୋରିଝିଆ ପ୍ରଦେଶ ଉପରେ ରୁଷ୍‌ର ସାର୍ବଭୌମ ଅଧିକାରକୁ କିବ୍ ସ୍ବୀକାର କରୁ। ରୁଷ୍‌ ସେନା ସବୁ ଅଞ୍ଚଳରୁ ନ ହଟିବା ପର୍ଯ୍ୟନ୍ତ ରୁଷ୍ ସହିତ କୌଣସି କଥାବାର୍ତ୍ତା ହେବ ନାହିଁ ବୋଲି ଜେଲେନ୍‌ସ୍କି କହିଛନ୍ତି।