ମସ୍କୋ: ୟୁକ୍ରେନ୍‌ ଆଜି ରୁଷ୍‌ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବାୟୁସେନା ଘାଟି ଓଲେନିଆ ଓ ବେଲିଆ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୟୁକ୍ରେନ୍‌ ସେନା ଶକ୍ତିଶାଳୀ ଡ୍ରୋନ୍ ବ୍ୟବହାର କରି ଉଭୟ ବାୟୁସେନା ଘାଟିକୁ ଛାରଖାର କରିଦେଇଛି। ଏଥିରେ ରୁଷ୍‌ର ୪୦ଟି ଯୁଦ୍ଧ ବିମାନ ନଷ୍ଟ ହୋଇଥିବା ୟୁକ୍ରେନ୍‌ ଦାବି କରିଛି। ଚଳିତ ଯୁଦ୍ଧରେ ଏହି ଆକ୍ରମଣ ୟୁକ୍ରେନ୍‌ ସେନାର ଏ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ବୋଲି କୁହାଯାଉଛି। ରଣନୀତିକ ଦୃଷ୍ଟିରୁ ଉଭୟ ଘାଟି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ୟୁକ୍ରେନ୍‌ ଉପରେ ବୋମା ମାଡ଼ କରିବା ପାଇଁ ଏହାର ସର୍ବାଧିକ ବ୍ୟବହାର ହେଉଥିଲା। ଗତରାତିରେ ରୁଷ୍‌ ୟୁକ୍ରେନ୍‌ର ପ୍ରମୁଖ ସହରଗୁଡ଼ିକୁ ଟାର୍ଗେଟ୍‌ କରି ୪ ଶହରୁ ଅଧିକ ଡ୍ରୋନ୍‌ ଓ ୭ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା ଏବଂ ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ଜବାବରେ ଆଜି ୟୁକ୍ରେନ୍‌ ରୁଷ୍‌ର ୪ଟି ବାୟୁସେନା ଘାଟିକୁ ଟାର୍ଗେଟ୍‌ କରି ଆକ୍ରମଣ କରିଥିଲା ଏବଂ ଏଥିରେ ୨ଟି ଘାଟି ଛାରଖାର ହୋଇଛି। ଆସନ୍ତାକାଲି ଇସ୍ତାନବୁଲରେ ଶାନ୍ତି ଆଲୋଚନା ଥିବା ବେଳେ ଏହା ପୂର୍ବରୁ ଏଭଳି ଆକ୍ରମଣ ସମଗ୍ର ପ୍ରୟାସକୁ ଭଣ୍ଡୁର କରିଦେବା ଆଶଙ୍କା ପ୍ରକାଶ ପାଇଛି।

Advertisment

ୟୁକ୍ରେନ୍‌ ସୁରକ୍ଷା ସେବା (ଏସ୍‌ବିୟୁ)ର ଜଣେ ଅଧିକାରୀ କହିଛନ୍ତି ଯେ ସେମାନଙ୍କ ଡ୍ରୋନ୍ ରୁଷୀୟ ଅଞ୍ଚଳର ବହୁତ ଭିତରକୁ ଯାଇ ଟିୟୁ-୯୫, ଟିୟୁ-୨୨ ଏବଂ ଏ-୫୦ ଗୁପ୍ତଚର ବିମାନ ଭଳି ବଡ଼ ବୋମାବର୍ଷୀ ବିମାନକୁ କ୍ଷତି ପହଞ୍ଚାଇବାରେ ସକ୍ଷମ ହୋଇଛି। ୪୦ରୁ ଅଧିକ ବିମାନ ନଷ୍ଟ କରାଯିବା ଆମ ପାଇଁ ବହୁତ ବଡ଼ ସଫଳତା ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି। ରୁଷ୍‌ ଉପରେ ଏଭଳି ଭୟାନକ ଆକ୍ରମଣ ପାଇଁ ୟୁକ୍ରେନ୍‌ର ଏହି ଜଟିଳ ଅପରେସନ ଅତ୍ୟନ୍ତ ଗୁପ୍ତ ଥିଲା ଏବଂ  ଏହାର ନାମ ରଖାଯାଇଥିଲା ‘ଅପରେସନ୍‌ ସ୍ପାଇଡର୍ ୱେବ୍’। ରୁଷ୍‌ର ଆଭ୍ୟନ୍ତରୀଣ ଅଂଚଳରେ ଥିବା ୪ଟି ଏୟାରବେସ୍‌କୁ ଟାର୍ଗେଟ କରିବା ପାଇଁ  ଶତାଧିକ ଡ୍ରୋନ୍‌କୁ ଟ୍ରକ୍‌ ମାଧ୍ୟମରେ ପଠାଯାଇଥିଲା ଏବଂ ରୁଷୀୟ ଗୁଇନ୍ଦା ସଂସ୍ଥା ଏହାର ଟେର୍‌ ପାଇନଥିଲା। ଡ୍ରୋନ୍‌ ବାହକ ଟ୍ରକ୍‌ଗୁଡ଼ିକୁ ଟାର୍ଗେଟ୍‌ କରାଯାଇଥିବା ବାୟୁସେନା ଘାଟିର ଅତି ନିକଟରେ ପହଞ୍ଚାଇବାକୁ ୟୁକ୍ରେନ୍‌ ସକ୍ଷମ ହୋଇଥିଲା। ପରେ ରିମୋଟ୍‌ରେ ଏହାକୁ ସକ୍ରିୟ କରାଯାଇ ବିଭିନ୍ନ ବାୟୁସେନା ଘାଟିରେ ଆକ୍ରମଣ କରାଯାଇଥିଲା। ଏହି କାରଣରୁ ରୁଷ୍‌ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ଠାବ କରିପାରି ନଥିଲା।  ଏହି ଆକ୍ରମଣକୁ ରୁଷ୍‌ ସ୍ୱୀକାର କରିଛି ଏବଂ ମୋଟ ୫ଟି ଅଂଚଳରେ ୪ଟି ଏୟାରବେସ୍‌ କ୍ଷତିଗ୍ରସ୍ତ ହୋଇଥିବା କହିଛି। 

ସୂଚନାଯୋଗ୍ୟ, ଟିୟୁ-୯୫ ହେଉଛି ୧୯୫୦ ଦଶକର ଏକ ପୁରୁଣା ବିମାନ ଏବଂ ଏହା ଅନେକ କ୍ରୁଜ୍ କ୍ଷେପଣାସ୍ତ୍ର ବହନ କରିବାରେ ସକ୍ଷମ। ଦୂର ସହରଗୁଡିକୁ ଟାର୍ଗେଟ୍‌ କରିବା ପାଇଁ ରୁଷ୍‌ ଏହି ବିମାନ ବ୍ୟବହାର କରୁଥିଲା। ଏଥିରେ ଜେଟ୍ ଇଞ୍ଜିନ୍ ପରିବର୍ତ୍ତେ ବଡ଼ ରୋଟେଟିଂ ପ୍ରୋପେଲର୍ ରହିଛି ଏବଂ ଏହା ଦୀର୍ଘ ଦୂରତା ଅତିକ୍ରମ କରିପାରିବାର ସାମର୍ଥ୍ୟ ରଖୁଛି। ଟିୟୁ-୨୨ ହେଉଛି ଏକ ହାଇସ୍ପିଡ୍ ଯୁଦ୍ଧ ବିମାନ ଯାହା ଶକ୍ତିଶାଳୀ କ୍ଷେପଣାସ୍ତ୍ର ବହନ କରିପାରିବ। ଆମେରିକା କିମ୍ବା ୟୁରୋପର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ନ ହେଲେ ଏହି ବିମାନଗୁଡ଼ିକର ଆକ୍ରମଣ ବନ୍ଦ କରିବା ୟୁକ୍ରେନ୍‌ ପାଇଁ ସହଜ ନୁହେଁ। ଅନ୍ୟପକ୍ଷରେ ଏ-୫୦ ଏକ ବିରଳ ଓ ବ୍ୟୟବହୁଳ ବିମାନ ଏବଂ ରୁଷ୍‌ ପାଖରେ ଏଭଳି ପ୍ରାୟ ୧୦ଟି ବିମାନ ରହିଛି। ଯାହାର ମୂଲ୍ୟ ବିମାନ ପିଛା ପ୍ରାୟ ୩୫୦ ନିୟୁତ ଡଲାର। ବିଶ୍ୱର ସର୍ବବୃହତ ବୋମାବର୍ଷୀ ଟିୟୁ-୧୬୦ ୧୯୮୦ ଦଶକରେ ନିର୍ମିତ ହୋଇଥିଲେ ମଧ୍ୟ ରୁଷ୍‌ ବାୟୁସେନାର ସବୁଠାରୁ ମାରାତ୍ମକ ବିମାନ ଭାବେ ପରିଗଣିତ ହେଉଛି। ଏହା ଅନେକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ବହନ କରିବାରେ ସକ୍ଷମ । ୟୁକ୍ରେନ୍‌ କହିଛି ଯେ ପ୍ରତ୍ୟେକ ରାତିରେ ୟୁକ୍ରେନ୍‌ର ବିଭିନ୍ନ ସହରରେ ବୋମା ମାଡ଼ କରାଯାଉଥିବାରୁ ଏହି ବିମାନଗୁଡ଼ିକୁ ଟାର୍ଗେଟ୍‌ କରି ଆକ୍ରମଣ କରାଯାଇଥିଲା। ଅନ୍ୟପକ୍ଷରେ ଡ୍ରୋନ୍‌ ଅଟକାଇବାରେ ରୁଷ୍‌ର ବିଫଳତା ଯୋଗୁଁ ଭୀଷଣ କ୍ଷୟକ୍ଷତି ସାମନା କରିବାକୁ ପଡ଼ିଛି।