ରୁଷ୍‌ ବୋମା ବର୍ଷଣରୁ ଲୋକମାନଙ୍କୁ ସୁରକ୍ଷା ଦେବ ୟୁକ୍ରେନ୍‌ର ଭୂତଳ ରେଳଷ୍ଟେସନ୍‌

ନୂଆଦିଲ୍ଲୀ: ସମଗ୍ର ୟୁକ୍ରେନ୍‌ରେ ରୁଷ୍‌ ସେନା ବୋମା ଏବଂ କ୍ଷେପଣାସ୍ତ୍ର ବର୍ଷଣ ଜାରି ରଖିଥିବା ବେଳେ କିଏଭ୍‌ର ଜନସାଧାରଣ ସହରମାନଙ୍କରେ ଥିବା ଭୂତଳ ରେଳଷ୍ଟେସନ୍‌କୁ ଯାଇ ଆଶ୍ରୟ ନେଉଛନ୍ତି।

ଏହାର କାରଣ ହେଲା, କିଏଭ୍‌ର ‌ଭୂତଳ ରେଳ ଷ୍ଟେସନ୍‌ ବୋମା ଆଶ୍ରୟସ୍ଥଳୀ ଭାବେ ମଧ୍ୟ କାମ କରିଥାଏ। ପୂର୍ବ ୟୁରୋପୀୟ ଦେଶରେ ଏହା ହେଉଛି ସର୍ବପୁରାତନ ଏବଂ ବୃହତ୍ତମ ଭୂତଳ ରେଳ ନେଟ୍‌ୱାର୍କ।

ବୋମା ପଡ଼ିଲେ କେଉଁଠାକୁ ଯାଇ ଆଶ୍ରୟ ନେବେ ସେ ବିଷୟରେ ସ୍ଲୁଲ୍‌ ପିଲାଙ୍କ ସମେତ ଅନେକ ବେସାମରିକ ନାଗରିକମାନଙ୍କୁ ତାଲିସ ଦିଆଯିବା ସହ ଅଭ୍ୟସ୍ତ କରାଯାଇଥାଏ। ଅନେକଙ୍କ ପାଇଁ ସେ ଆଶ୍ରୟସ୍ଥଳ ହେଉଛି ଭୂତଳ ରେଳଷ୍ଟେସନ୍‌।

ସେପଟେ, ୟୁକ୍ରେନୀୟ ସାଂସଦ ସୋଫିଆ ଫେଦିନା କହିଛନ୍ତି, ଆମର ବଙ୍କର୍‌ ସବୁ ପ୍ରସ୍ତୁତ। ୟୁକ୍ରେନ୍‌ବାସୀଙ୍କ ପାଇଁ ନିରାପଦ ବାସଗୃହ ରହିଛି।

Image Courtesy of India Today

ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ ମଧ୍ୟ କହିଛନ୍ତି, ମସ୍କୋ ୟୁକ୍ରେନ୍‌ ଅଧିକାର କରିବାକୁ ଚାହେଁନାହିଁ। କେବଳ ୟୁକ୍ରେନ୍‌ର ସାମରିକ ବ୍ୟବସ୍ଥା ନଷ୍ଟ କରିବା ପାଇଁ ଯୁଦ୍ଧ ଘୋଷଣା କରାଯାଇଛି।

ପୂର୍ବାଞ୍ଚଳରେ ରୁଷ୍‌ ଦୁଇଟି ଗ୍ରାମ ଦଖଲ କରିନେଇଥିବା କଥା ୟୁକ୍ରେନ୍‌ କହିଛି। ଲୁଆନ୍‌ସ୍କ ଅଞ୍ଚଳରେ ୨ଟି ସହରକୁ ନିୟନ୍ତ୍ରଣାଧୀନ କରିଥିବା କଥା ରୁଷ୍‌ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ମଧ୍ୟ ଦାବି କରିଛନ୍ତି। ରୁଷ୍‌ ଆକ୍ରମଣରେ କିଏଭ୍‌ର ବ୍ରୋଭାରିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଥିବା କଥା ୟୁକ୍ରେନ୍‌ର ଗୃହ ମନ୍ତ୍ରାଳୟ କହିଛି।

ଗୋଟିଏ ହେଲିକପ୍ଟର୍‌ ସମେତ ୫ଟି ରୁଷୀୟ ଲଢୁଆ ବିମାନକୁ ଗୁଳି ମାରି ଖସାଇ ଦେଇଥିବା କଥା ୟୁକ୍ରେନ୍ କହିବା କ୍ଷଣି ରୁଷ୍‌ ପ୍ରତିରକ୍ଷା ବିଭାଗ କହିଛି ଯେ, ମସ୍କୋ ୟୁକ୍ରେନୀୟ ବିମାନଘାଟି ଓ ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ ନଷ୍ଟ କରି ଦେଇଛି।

ସମ୍ବନ୍ଧିତ ଖବର