ୟୁକ୍ରେନ ସଙ୍କଟ: ଭୋକ ଉପାସରେ ଓଡ଼ିଆ ଛାତ୍ରଛାତ୍ରୀ

ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଅନୁରୋଧ,ଜାରି ଭିଡିଓରେ ବିକଳ ଚିତ୍ର, ଯୁଦ୍ଧ, ଭୋକ ସହିତ ଲଢ଼େଇ

ଭୁବନେଶ୍ବର: ପ୍ରତି ଅଧ ଘଣ୍ଟାରେ ଥରେ ଫୋନ୍‌ କରୁଛି ଝିଅ। କହିଲାଣି ଆଉ କେତେ ଦିନ ମେଟ୍ରୋ ତଳେ ରହିବୁ, ଖାଇବା ସରି ଆସିଲାଣି। ବୋମାମାଡ଼ ଲାଗି ରହୁଛି। ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ୍‌ କର, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କର କିନ୍ତୁ ଯେମିତି ହେଲେ ଆମକୁ ଉଦ୍ଧାର କର। ୟୁକ୍ରେନରେ ଫସିଥିବା ଏକମାତ୍ର ଝିଅ ରୋଜାଲିନ୍‌ର ଦୁଃଖଦ କାହାଣୀକୁ ଏମିତି ବର୍ଣ୍ଣନା କରିଛନ୍ତି ମା’ ରାଜଲକ୍ଷ୍ମୀ।

ରୋଜାଲିନ୍‌ ଖାର୍କିଭ ଜାତୀୟ ବିଶ୍ବବିଦ୍ୟାଳୟର ଷଷ୍ଠ ବର୍ଷର ମେଡିକାଲ ଛାତ୍ରୀ। ଆସନ୍ତା ଜୁନ୍‌ରେ ତାଙ୍କ ପଢ଼ା ସରିଥାଆନ୍ତା। ଯୁଦ୍ଧ ଆସନ୍ନ ଜାଣି ଟିକେଟ କରିବା ବେଳକୁ ଟିକେଟ ମିଳିଲା ନାହିଁ। ଏଣେ ଘର ଛାଡ଼ି ବିମାନବନ୍ଦର ଆଡ଼କୁ ଆସିବାବେଳକୁ ବିମାନ ସେବା ବାତିଲ ହୋଇଗଲା। ତେଣୁ ବାଧ୍ୟ ହୋଇ ସେ ଅନ୍ୟମାନଙ୍କ ସହିତ ୪ ଦିନ ହେଲା ଖାର୍କିଭ ସ୍ଥିତ ମେଟ୍ରୋର ଅଣ୍ଡର ଗ୍ରାଉଣ୍ଡରେ ରହୁଛନ୍ତି। ସେଠାକାର ଦୁର୍ବିସହ ସ୍ଥିତି ନେଇ ରୋଜାଲିନ୍‌ ଜାରି କରିଥିବା ଭିଡିଓରେ କହିଛନ୍ତି, ୨୪ ତାରିଖରୁ ବୋମାମାଡ଼ ଆରମ୍ଭ ହେବା ପରଠାରୁ ସେମାନେ ଏଠାରେ ଅନିଶ୍ଚିତତାରେ ରହିଛନ୍ତି। ଖାଦ୍ୟ ସରିବାକୁ ବସିଲାଣି। ମେଟ୍ରୋ ଗେଟ୍‌, ଦୋକାନ ବନ୍ଦ ହୋଇଯାଇଥିବାରୁ ଖାଇବା ସରିଗଲେ ଆଉ ଖାଇବା କିଣି ହେବନାହିଁ। ୟୁକ୍ରେନର ସ୍ଥାନୀୟ ଅଧିବାସୀଙ୍କ ପାଇଁ ମଧ୍ୟ ଖାଦ୍ୟ ସଙ୍କଟ ଆରମ୍ଭ ହେଲାଣି।

ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପଠାଯାଇଥିବା ସହାୟତା ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ପାଣି ସଙ୍କଟ ମଧ୍ୟ ଆରମ୍ଭ ହୋଇ ଯାଇଛି। ସେମାନେ ଶାରୀରିକ ଏବଂ ମାନସିକ ଭାବରେ ଦୁର୍ବଳ ହୋଇପଡ଼ିଛନ୍ତି। ମେଟ୍ରୋରେ ଥିବା ଶହ ଶହ ଲୋକଙ୍କ ପାଇଁ କେବଳ ଗୋଟିଏ ଶୌଚାଳୟ ରହିଛି। ହଙ୍ଗେରି କିମ୍ବା ପୋଲାଣ୍ଡକୁ ଗଲେ ଉଦ୍ଧାର କରାଯିବ ବୋଲି କୁହାଯାଉଛି। କିନ୍ତୁ ଖାର୍କିଭରୁ ହଙ୍ଗେରି ଏବଂ ପୋଲାଣ୍ଡର ଦୂରତା ୬୦୦ କିଲୋମିଟର। ତେଣୁ ଏତେ ଦୂର ଯିବା ଅସମ୍ଭବ ଏବଂ ଅସୁରକ୍ଷିତ। ଭାରତୀୟ ଦୂତାବାସକୁ ଏହି ସମସ୍ୟା ଜଣାଇବା ବେଳକୁ ଯେଉଁଠି ଅଛନ୍ତି ସେଇଠି ରହିବାକୁ ପରାମର୍ଶ ଦେଉଛନ୍ତି।

ସେମାନଙ୍କୁ ଯେକୌଣସି ପରିସ୍ଥିତିରେ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି ରୋଜାଲିନ୍‌। କେବଳ ରୋଜାଲିନ୍‌ ନୁହନ୍ତି ସେଠାରେ ଫସି ରହିଥିବା ଅନେକ ଓଡ଼ିଆ ନିଜ ବିକଳ ସ୍ଥିତି ନେଇ ପ୍ରତ୍ୟହ ଭିଡିଓ ଜାରି କରୁଛନ୍ତି। ଯେଉଁ ଥିରେ କିଏ ଭୋକରେ ଥିବା କହୁଛନ୍ତି ଆଉ କିଏ ଅଚେତ ହୋଇ ପଡୁଥିବା ଦେଖାଯାଉଛି। ରୋଜାଲିନ୍‌ଙ୍କ ମା’ ରାଜଲକ୍ଷ୍ମୀ କହନ୍ତି, ଉଭୟ ଯୁଦ୍ଧ ଏବଂ ଭୋକ ସହିତ ତାଙ୍କ ଝିଅ ସମେତ ଅନେକ ଭାରତୀୟ ଏବଂ ଓଡ଼ିଆ ପିଲାଙ୍କୁ ଲଢ଼େଇ କରିବାକୁ ପଡ଼ୁଛି।

ସେହିଭଳି ଦୁଇ ଦିନ ଧରି ପୁଅ ଜାକିଙ୍କ ସହିତ କଥା ହୋଇନପାରି ଚିନ୍ତାରେ ଥିଲେ ଅଜିମ ଅଜ୍ଜୁ। ରବିବାର କଥା ହେବା ପରେ ସାମାନ୍ୟ ଆଶ୍ବସ୍ତ ହୋଇଥିଲେ ମଧ୍ୟ ବିପଦ ଟଳିନାହିଁ। ବର୍ତ୍ତମାନ ସ୍ଥିତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜ ଓଡ଼ିଆ ପିଲାଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଅଜ୍ଜୁ କହନ୍ତି, ପୁଅ ହଷ୍ଟେଲ ଛାଡ଼ି ଫେରି ଆସିବା ବେଳକୁ ହିଁ ବିମାନ ସେବା ବନ୍ଦ ହୋଇଗଲା। ତେଣୁ ବର୍ତ୍ତମାନ ସେ କିଭ୍‌ର ଏକ ଛାତ୍ରାବାସରେ ରହିଛି। ବର୍ତ୍ତମାନ ସୁଦ୍ଧା ଖାଇବା ବ୍ୟବସ୍ଥା ରହିଛି। ଘରୁ ବାହାରିବା ପାଇଁ କଟକଣା ରହିଛି।

ଭାରତୀୟ ଦୂତାବାସ ଦାୟିତ୍ବରେ ଜଣେ ଓଡ଼ିଆ ଅଧିକାରୀ ରହିଛନ୍ତି। ତେଣୁ ଆଶା ତ ଅନେକ ରହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଥିପ୍ରତି ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ରୋଜାଲିନ ଏବଂ ଜାକିଙ୍କ ଭଳି ଅନେକ ବିଦ୍ୟାର୍ଥୀଙ୍କ ଅଭିଭାବକ। ଋଷର ଏହି ଆକ୍ରମଣରେ କେବଳ ୟୁକ୍ରେନ ନୁହେଁ ଅନେକ ଭାରତୀୟଙ୍କ ଜୀବନ ଏବଂ ଭବିଷ୍ୟତ ଅନିଶ୍ଚିତତା ଘେରକୁ ଚାଲି ଆସିଛି।

ସମ୍ବନ୍ଧିତ ଖବର