ଅଙ୍କାରା: ତୁର୍କୀର ରାଜଧାନୀ ଅଙ୍କାରାରେ ସମ୍ମଳନୀ ଚାଲିଥିବା ବେଳେ ରୁଷୀୟ ପ୍ରତିନିଧି ଭାଲେରି ସ୍ତାଭିତ୍ସ୍କିଙ୍କୁ ୟୁକ୍ରେନ୍ର ସାଂସଦ ଓଲେକ୍ଜେଣ୍ଡର୍ ମାରିକୋଭ୍ସ୍କିୟି ମୁଥ ମାରୁଥିବା ଭିଡିଓ କ୍ଲିପ୍ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି।
ବିଭିନ୍ନ ଗଣମାଧ୍ୟମରୁ ସଂଗୃହୀତ ରିପୋର୍ଟ ଅନୁସାରେ, ଘଟଣାଟି ‘ପାର୍ଲାମେଣ୍ଟାରି ଆସେମ୍ବ୍ଲି ଅଫ୍ ଦି ବ୍ଲାକ୍ ସି ଇକୋନୋମିକ୍ କୋଅପରେସନ୍’ର (ପିଏବିଏସ୍ଇସି) ୬୧ତମ ସାଧାରଣ ସମ୍ମିଳନୀରେ ଘଟିଥିଲା। ଆର୍ଥିକ, ପ୍ରଯୁକ୍ତିଗତ ଏବଂ ସାମାଜିକ କ୍ଷେତ୍ରରେ ବହୁପାକ୍ଷିକ ଓ ଦ୍ବିପାକ୍ଷିକ ସମ୍ପର୍କ ଉନ୍ନତି ଉପାୟ ବିଷୟରେ ଆଲୋଚନା କରିବା ଲାଗି କୃଷ୍ଣ ସାଗର ଅଞ୍ଚଳ ଦେଶସମୂହର ପ୍ରତିନିଧିମାନେ ସମବେତ ହୋଇଥିଲେ।
/sambad/media/post_attachments/wp-content/uploads/2023/05/ru1.jpg)
ଭିଡିଓ କ୍ଲିପ୍ରେ ଦେଖାଯାଉଛି, ଶିଖର ସମ୍ମିଳନୀ ସମୟରେ ରୁଷୀୟ ପ୍ରତିନିଧି ଭାଲେରି ସ୍ତାଭିତ୍ସ୍କି ୟୁକ୍ରେନୀୟ ସାଂସଦ ମାରିକୋଭ୍ସ୍କିୟିଙ୍କ ପାଖରେ ପହଞ୍ଚି ସେ ଧରିଥିବା ୟୁକ୍ରେନ୍ର ଜାତୀୟ ପତାକାଟିକୁ ଛଡ଼ାଇ ନେଉଛନ୍ତି। ପତାକାଟିକୁ ଫେରାଇ ଆଣିବାକୁ ଉତ୍କ୍ଷିପ୍ତ ସାଂସଦ ମାରିକୋଭ୍ସ୍କିୟି ରୁଷୀୟ ପ୍ରତିନିଧିଙ୍କୁ ଧକ୍କା ମାରିବା ସହିତ ତାଙ୍କ ମୁହଁରେ ମୁଥ ମାରୁଛନ୍ତି।
‘ବିଜ୍ନେସ୍ ଟୁଡେ’ ରିପୋର୍ଟ ଅନୁସାରେ, ରୁଷୀୟ ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ ଓଲ୍ଗା ଟିମୋଫିଭାଙ୍କ ସହିତ ସାକ୍ଷାତ୍କାର ଚାଲିଥିବା ବେଳେ ୟୁକ୍ରେନୀୟ ସାଂସଦ ମାରିକୋଭ୍ସ୍କିୟି ତାଙ୍କ ପଛରେ ୟୁକ୍ରେନ୍ର ଜାତୀୟ ପତାକା ଧରି ଉଡ଼ାଉ ଥିଲେ। ଏହା ଦେଖି ରୁଷୀୟ ପ୍ରତିନିଧି ଦଳର ଭାଲେରି ସ୍ତାଭିତ୍ସ୍କି ନାମରେ ଆଉ ଜଣେ ସଦସ୍ୟ ଧାଇଁ ଯାଇ ତାଙ୍କ ହାତରୁ ୟୁକ୍ରେନ୍ ଜାତୀୟ ପତାକାଟିକୁ ଛଡ଼ାଇ ଆଣିଥିଲେ।
ଏହି କ୍ଲିପ୍କୁ ଅନ୍ଲାଇନ୍ରେ ପୋଷ୍ଟ୍ କରିଥିଲେ ‘କିବ୍ ପୋଷ୍ଟ୍ ଅନ୍ ଟୁଇଟର୍ର ସ୍ବତନ୍ତ୍ର ପ୍ରତିନିଧି ତଥା ରାଜନୈତିକ ଉପଦେଷ୍ଟା ଜେ’ ସ୍ମାର୍ଟ। ପରେ ସାଂସଦ ମାରିକୋଭ୍ସ୍କିୟି ତାଙ୍କ ଫେସ୍ବୁକ୍ ଆକାଉଣ୍ଟ୍ରେ ମଧ୍ୟ ଏହି ଭିଡିଓଟିକୁ ପୋଷ୍ଟ୍ କରିଥିଲେ। ପରେ ଏହି ଘଟଣା ଉପରେ ‘ନିଉଜ୍ୱିକ୍’ ରିପୋର୍ଟ କରିଥିଲା।