ଆମେରିକା-ନାଟୋ ଉପରେ ୟୁକ୍ରେନ୍‌ ରାଷ୍ଟ୍ରପତି କ୍ଷୁବ୍ଧ: ପୁଟିନ୍‌ଙ୍କ ସହ ଆଲୋଚନା ପାଇଁ ଆଗ୍ରହୀ

ୱାସିଂଟନ: ୟୁକ୍ରେନ୍‌ ଏବଂ ରୁଷ୍ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢ଼ି ଚାଲିଥିବା ବେଳେ ଆମେରିକା ଓ ନାଟୋ ରାଷ୍ଟ୍ରଙ୍କ କାର୍ଯ୍ୟ କେବଳ ବୟାନରେ ସୀମିତ ରହିଛି ଏବଂ ବାସ୍ତବରେ କେହି ରୁଷ୍‌ ବିରୋଧରେ କିଛି ବି ପଦକ୍ଷେପ ନେଉନାହାନ୍ତି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି କହିଛନ୍ତି। ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ଯେଭଳି ସାମରିକ ଶକ୍ତି ପ୍ରଦର୍ଶନ କରୁଛି ଏବଂ ଆତଙ୍କରାଜ ଚଳାଇଛି ସେ ନେଇ ରୁଷ୍‌ ବିରୋଧରେ ଆଜି ସୁଦ୍ଧା କୌଣସି କଟକଣା ପଦକ୍ଷେପ କାହିଁକି ନିଆଯାଇନାହିଁ ବୋଲି ଜେଲେନସ୍କି ବାଇଡେନ୍‌ ପ୍ରଶାସନକୁ ସିଧାସଳଖ ପ୍ରଶ୍ନ କରିଛନ୍ତି। ରୁଷ୍‌ ୟୁକ୍ରେନ୍‌କୁ ନିଜ କବ୍‌ଜାକୁ ନେବା ପର୍ଯ୍ୟନ୍ତ ଆମେରିକା ଓ ନାଟୋ ରାଷ୍ଟ୍ରମାନେ କ’ଣ ଅପେକ୍ଷା କରିଥିବେ କି ବୋଲି ସେ ପଚାରିଛନ୍ତି। ତେବେ ୟୁକ୍ରେନ୍‌ ଉପରେ ରୁଷ୍‌ ଆକ୍ରମଣ କଲେ ଏହାର କଡ଼ା ଜବାବ ମିଳିବ ବୋଲି ସେ କହିଛନ୍ତି। ଗୋଟିଏ ପଟେ ଜେଲେନସ୍କି ଆମେରିକା ଏବଂ ନାଟୋର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଅନ୍ୟପକ୍ଟେ ସେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କଥାବାର୍ତ୍ତା ମାଧ୍ୟମରେ ହିଁ ଯୁଦ୍ଧ ଏଡ଼ାଇବାକୁ ରାସ୍ତା ଖୋଲିବ ବୋଲି ସେ କହିଛନ୍ତି। ପୁଟିନ୍‌ ଯେଉଁ ସ୍ଥାନରେ କହିବେ ସେଠାକୁ ଯାଇ ମୁଁ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି।

ସମ୍ବନ୍ଧିତ ଖବର