କିବ୍: ୟୁକ୍ରେନ୍‌ ସହ ରୁଷ୍‌ର ଯୁଦ୍ଧ ୨୦୨୨ ମସିହାରୁ ଜାରି ରହିଛି। ଏହି ଯୁଦ୍ଧରେ ଅଦ୍ୟାବଧି ୟୁକ୍ରେନ୍‌ର ୫୫,୦୦୦ ସୈନ୍ୟ ନିହିତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ସ୍ବୀକାର କରିଛନ୍ତି। ବୁଧବାର ରାଷ୍ଟ୍ରପତି ଜେଲେନସ୍କିଙ୍କ ମନ୍ତବ୍ୟ ୟୁକ୍ରେନ୍ ଉପରେ ରୁଷ୍‌ର ଆକ୍ରମଣର ଚତୁର୍ଥ ବାର୍ଷିକୀ ଏବଂ ଆବୁଧାବିରେ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରବିରତି ଆଲୋଚନା ମଧ୍ୟରେ ଆସିଛି, ଯେଉଁଠାରେ ବୁଝାମଣାକାରୀମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପର ସବୁଠାରୁ ବଡ ବିବାଦକୁ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି।

Advertisment

ଫ୍ରାନ୍ସ ୨ ଟିଭିକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଜେଲେନସ୍କି କହିଛନ୍ତି, ୟୁକ୍ରେନରେ ଯୁଦ୍ଧକ୍ଷେତ୍ରରେ ନିହତ ହୋଇଥିବା ସୈନିକଙ୍କ ସଂଖ୍ୟା ପ୍ରାୟ ୫୫,୦୦୦। ତେବେ ଆହତଙ୍କର କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ସେ ଦେଇ ନ ଥିଲେ। ନିଖୋଜ ଥିବା ଲୋକଙ୍କ ପାଇଁ ମଧ୍ୟ ୟୁକ୍ରେନ୍ ନେତା ସଠିକ୍ ସଂଖ୍ୟା ଦେଇନାହାନ୍ତି। ଫେବ୍ରୁଆରି ୨୦୨୫ରେ ଏକ ସାକ୍ଷାତ୍‌କାରରେ ଜେଲେନସ୍କି ୟୁକ୍ରେନ୍ ଯୁଦ୍ଧରେ ମୃତକଙ୍କ ପାଇଁ ଏକ ସଂଖ୍ୟା ଦର୍ଶାଇ କହିଥିଲେ ଯେ, ଯୁଦ୍ଧକ୍ଷେତ୍ରରେ ୪୬,୦୦୦ରୁ ଅଧିକ ୟୁକ୍ରେନ୍ ସୈନ୍ୟ ନିହତ ହୋଇଛନ୍ତି। ୨୦୨୫ ମଧ୍ୟଭାଗରେ, ୱାସିଂଟନ ଡିସିରେ ଥିବା ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟର୍‌ନ୍ୟାସନାଲ ଷ୍ଟଡିଜ୍ ଆକଳନ କରିଥିଲା ଯେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରାୟ ୪୦୦,୦୦୦ ୟୁକ୍ରେନ୍ ସୈନ୍ୟ ନିହତ କିମ୍ବା ଆହତ ହୋଇଛନ୍ତି। ଗତ ମାସରେ ୟୁକ୍ରେନ୍‌ରେ ମିଳିତ ଜାତିସଂଘର ମାନବାଅଧିକାର ମନିଟରିଂ ମିସନ ରିପୋର୍ଟ କରିଥିଲା ଯେ, ୨୦୨୫ରେ ୟୁକ୍ରେନ୍‌ରେ ରୁଷ୍‌ର ଆକ୍ରମଣରେ ୨,୫୧୪ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୧୨,୧୪୨ ଜଣ ଆହତ ହୋଇଛନ୍ତି, ଯାହା ୨୦୨୪ରେ ମୃତାହତଙ୍କ ସଂଖ୍ୟା ତୁଳନାରେ ପ୍ରାୟ ଏକ ତୃତୀୟାଂଶ ଅଧିକ। ଚାଲିଥିବା ଯୁଦ୍ଧରେ ରୁଷ୍‌ ମଧ୍ୟ ବହୁ କ୍ଷତି ସହିଛି।

ଜାନୁଆରିରେ ୟୁକ୍ରେନ୍‌ର ସାମରିକ କମାଣ୍ଡର ଓଲେକଜାଣ୍ଡର ସିର୍ସ୍କି କହିଥିଲେ ଯେ, କେବଳ ୨୦୨୫ରେ ୟୁକ୍ରେନ୍ ସୈନ୍ୟବାହିନୀ ବିରୋଧରେ ଲଢେଇ ସମୟରେ ପ୍ରାୟ ୪୨୦,୦୦୦ ରୁଷୀୟ ସୈନିକ ନିହତ ବା ଆହତ ହୋଇଥିଲେ। ବ୍ରିଟିସ ପ୍ରତିରକ୍ଷା ଗୁଇନ୍ଦା ଦ୍ୱାରା ଅକ୍ଟୋବର ୨୦୨୫ ଆକଳନ ଅନୁଯାୟୀ ଯୁଦ୍ଧରେ ନିହତ କିମ୍ବା ଆହତ ହୋଇଥିବା ରୁଷୀୟ ସୈନିକଙ୍କ ସଂଖ୍ୟା ୧.୧ ନିୟୁତ ଥିଲା। ଉଭୟ ୟୁକ୍ରେନ୍ ଓ ରୁଷ୍‌ ଯୁଦ୍ଧରେ ନିଜର ଆହତଙ୍କ ସଂଖ୍ୟା କ୍ୱଚିତ୍ ପ୍ରକାଶ କରନ୍ତି, ଯଦିଓ ସେମାନେ ଯୁଦ୍ଧକ୍ଷେତ୍ରରେ ଶତ୍ରୁର କ୍ଷୟକ୍ଷତି ବିଷୟରେ ସକ୍ରିୟ ଭାବରେ ରିପୋର୍ଟ କରନ୍ତି।