ୟୁକ୍ରେନ୍ ଯୁଦ୍ଧ ଓ ଦିଲ୍ଲୀ ହିଂସା: ଉତ୍ତେଜନାମୂଳକ ପ୍ରସାରଣରୁ ନିବୃତ୍ତ ରହିବାକୁ ଚେତାବନୀ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୟୁକ୍ରେନ୍ ଯୁଦ୍ଧ ଏବଂ ଦିଲ୍ଲୀ ହିଂସା ନେଇ କୌଣସି ପ୍ରକାର ଉତ୍ତେଜନାମୂଳକ ବା ସଂବେଦନଶୀଳ ପ୍ରସାରଣ ନ କରିବାକୁ ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଶନିବାର ଏ ସମ୍ପର୍କରେ ପ୍ରକାଶିତ ଏକ ନିର୍ଦ୍ଦେଶନାମାରେ କୁହାଯାଇଛି- କେତେକ ସାଟେଲାଇଟ୍ ଟିଭି ଚାନେଲରେ ନିକଟ ଅତୀତରେ ମିଥ୍ୟା, ବିଭ୍ରାନ୍ତିକର, ଉତ୍ତେଜନାମୂଳକ ଓ ସଂବେଦନଶୀଳ ଖବର ପ୍ରସାରଣ କରାଯାଇଛି। ଏଥିରେ ପ୍ରୟୋଗ ହୋଇଥିବା ଭାଷା ଓ ମନ୍ତବ୍ୟ ଅଗ୍ରହଣୀୟ, ଅରୁଚିକର ଓ ତ୍ରୁଟିପୂର୍ଣ୍ଣ ଥିଲା।ଏଥିରେ ସାମ୍ପ୍ରଦାୟିକ ସଦ୍‌ଭାବକୁ ନଷ୍ଟ କଲା ପରି ଓ ହିଂସାକୁ ବଢ଼ାଇବା ଭଳି ଉପାଦାନ ରହିଛି। ତେଣୁ ଭବିଷ୍ୟତରେ ଏପରି ଖବର ପ୍ରସାରଣ ଓ ଟିଭି ବିତର୍କ ସମୟରେ ସାବଧାନ ରହିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି। ନ ହେଲେ ଏ ସମ୍ପର୍କିତ ଆଇନର ଧାରା ୨୦ର ଉପଧାରା ୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ବିଶେଷତଃ ୟୁକ୍ରେନ୍-ରୁଷ୍ ଯୁଦ୍ଧ ଓ ଉତ୍ତର-ପଶ୍ଚିମ ଦିଲ୍ଲୀରେ ସଂଘଟିତ ହିଂସା ସମ୍ପର୍କରେ ଉତ୍ତେଜନାମୂଳକ ଓ ଅତିରଞ୍ଜିତ ଖବର ପ୍ରସାରଣ ନ କରିବା ପାଇଁ ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର