ହିନ୍ଦୁ ଧର୍ମବିଶ୍ବାସ ମୋର ମାର୍ଗଦର୍ଶକ: କେମ୍ବ୍ରିଜ୍‌ରେ ‘ରାମ କଥା’ରେ ଯୋଗ ଦେଇ କହିଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ

ଲଣ୍ଡନ: ହିନ୍ଦୁ ଧର୍ମବିଶ୍ବାସ ତାଙ୍କୁ ଜୀବନର ସମସ୍ତ କ୍ଷେତ୍ରରେ ଦିଗ୍‌ଦର୍ଶନ ଦେଉଛି ଏବଂ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ତାଙ୍କୁ ସର୍ବୋତ୍ତମ କାର୍ଯ୍ୟ କରିବା ଲାଗି ସାହସ ଦେଉଛି ବୋଲି ମଙ୍ଗଳବାର ଦିନ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି।

କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟର ଜେଜସ୍‌ କଲେଜରେ ଅଧ୍ୟାତ୍ମିକ ଗୁରୁ ମୋରାରି ବାପୁଙ୍କଦ୍ବାରା ପରିଚାଳିତ ‘ରାମ କଥା’ କାର୍ଯ୍ୟକ୍ରମକୁ ଯାଇଥିବା ବ‌େଳେ ସୁନକ ଉପରୋକ୍ତ କଥା କହିଛନ୍ତି।

ସେଠାରେ ସମବେତ ଜନତାକୁ ଉଦ୍‌ବୋଧନ ଦେଇ ସୁନକ କହିଲେ, ଭାରତର ସ୍ବାଧୀନତା ଦିବସରେ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳରେ ଚାଲିଥିବା ମୋରାରି ବାପୁଙ୍କ ‘ରାମ କଥା’କୁ ଆସି ମୁଁ ବାସ୍ତବରେ ସମ୍ମାନିତ ଓ ଆନନ୍ଦିତ। ବାପୁ, ପ୍ରଧାନମନ୍ତ୍ରୀ ରୂପେ ନୁହେଁ, ଜଣେ ହିନ୍ଦୁ ଭାବେ ମୁଁ ଏଠାକୁ ଆସିଛି। ଧର୍ମ ବିଶ୍ବାସ ମୋର ଏକାନ୍ତ ବ୍ୟକ୍ତିଗତ ଏବଂ ଏହା ମତେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମାର୍ଗ ଦର୍ଶନ କରାଇଛି।

Image Courtesy of India Today

କାର୍ଯ୍ୟକ୍ରମସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ଋଷି ସୁନକ ‘ଜୟ ସୀୟାରାମ’ କହିବା ସହିତ ମଞ୍ଚର ପୃଷ୍ଠଭୂମିରେ ଥିବା ପ୍ରଭୁ ହନୁମାନଙ୍କର ପ୍ରତିକୃତିକୁ ଉଦ୍ଦେଶ୍ୟ କରି କହୁଛନ୍ତି, ପୃଷ୍ଠଭୂମିରେ ବାପୁଙ୍କର ଥିବା ସୁବର୍ଣ୍ଣ ହନୁମାନ ଭଳି ୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ରେ (ପ୍ରଧାନମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ) ମୋ ଡେସ୍କ୍‌ରେ ସୁବର୍ଣ୍ଣ ଗଣେଶ ପ୍ରତିମା ଆନନ୍ଦରେ ଅଧିଷ୍ଠିତ ହୋଇଥିବାରୁ ମୁଁ ବି ଆନନ୍ଦିତ।

ସେ ଆହୁରି ମଧ୍ୟ କହିଲେ, ବାପୁ କହୁଥିବା ରାମାୟଣ କଥା ସ୍ମରଣ କରିବା ସହିତ ମୁଁ ଭଗବତ୍‌ ଗୀତା ଓ ହନୁମାନ ଚାଳିଶା କଥା ବି ସ୍ମରଣ କରୁଛି। ଜୀବନର ଚାଲେଞ୍ଜ୍‌ ସବୁକୁ ସାହସର ସହିତ ମୁକାବିଲା କରିବା, ବିନମ୍ରତାର ସହିତ ଶାସନ କରିବା ଓ ନିଃସ୍ବାର୍ଥ ଭାବେ କାମ କରିବା ଲାଗି ପ୍ରଭୁ ରାମ ସଦାସର୍ବଦା ମୋର ପ୍ରେରଣା ହୋଇ ରହିବେ।

ଏହାଛଡ଼ା, ମଞ୍ଚରେ ହୋଇଥିବା ଆରତିରେ ମଧ୍ୟ ଋଷି ସୁନକ ଭାଗ ନେଇଥିଲେ। ମୋରାରି ବାପୁ ତାଙ୍କୁ ଏକ ଶିବଲିଙ୍ଗ ଉପହାର ଦେଇଛନ୍ତି।

ସମ୍ବନ୍ଧିତ ଖବର