ଗୁଆହାଟୀ : ଆସାମରେ ଆଜି ନିଷିଦ୍ଧ ସଂଗଠନ ଉଲ୍ଫା(ଆଇ) ରାଜ୍ୟର ୨୪ଟି ସ୍ଥାନରେ ବୋମା ରଖିଥିବା ଦାବି କରିଛି। ଏହାପରେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ନିଦ ହଜିଯାଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରିବାକୁ ପୁଲିସ ଏକାଧିକ ଟିମ୍କୁ ନିର୍ଦ୍ଦେଶ ଦେଇଛି। ପ୍ରତ୍ୟେକ ପୋଲିସ ଟିମରେ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ମଧ୍ୟ ରହିଛି । ଏହାକୁ ନେଇ ସମଗ୍ର ରାଜ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।
ଉଲ୍ଫା (ଆଇ) ପକ୍ଷରୁ ଉଲ୍ଲେଖ କରାଯାଇଥିବା ସମସ୍ତ ସ୍ଥାନକୁ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ପଠାଯାଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ବୋମା କିମ୍ବା ବିସ୍ଫୋରକ ଜବତ ହୋଇନଥିବା ପୁଲିସ କହିଛି। ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ (ୟୁଏଲ୍ଏଫ୍ଏ) (ଇଣ୍ଡିପେଣ୍ଡେଣ୍ଟ) ପକ୍ଷରୁ ଏକାଧିକ ଗଣମାଧ୍ୟମ ଚ୍ୟାନେଲକୁ ପଠାଯାଇଥିବା ଇ-ମେଲରେ ଆତଙ୍କବାଦୀ ସଂଗଠନ ଦାବି କରିଛି ଯେ ବୈଷୟିକ ତ୍ରୁଟି ଯୋଗୁଁ ବୋମା ବିସ୍ଫୋରଣ ହୋଇନାହିଁ। ୧୯ଟି ବୋମାର ପ୍ରକୃତ ସ୍ଥାନ ଚିହ୍ନଟ କରି ପୁଲିସ ଏକ ତାଲିକା ଯୋଡ଼ିଥିବା ବେଳେ ଆଉ ୫ଟି ବିସ୍ଫୋରକର ସ୍ଥାନ ମିଳିପାରିନାହିଁ ବୋଲି କହିଛି। ଏଥିସହ ବୋମା ନିଷ୍କ୍ରିୟ କରିବା ପାଇଁ ପୁଲିସ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛି।