ଉଲିବୁରୁ ଖଣି ମାମଲା: ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ : ଉଲିବୁରୁ ଖଣି ମହାଦୁର୍ନୀତି ମାମଲାରେ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ଆବେଦନର ଶୁଣାଣି ଆଜି ପଞ୍ଚମଥର ପାଇଁ ସୁପ୍ରିମକୋର୍ଟରେ ସ୍ଥଗିତ ହୋଇଯାଇଛି। ସୁପ୍ରିମକୋର୍ଟର ବିଚାରପତି ଏନ୍‌ ଭି ରମନା ଓ ବିଚାରପତି ଏସ୍‌ ଅବଦୁଲ ନଜିରଙ୍କ ଖଣ୍ଡପୀଠରେ ଆଜି ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ହେବାର ଥିଲା। ହେଲେ ଗୁପ୍ତାଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀଙ୍କ ଅନୁପସ୍ଥିତ ଯୋଗୁଁ ମାମଲାର ଶୁଣାଣି ହୋଇପାରିନାହିଁ। ଅପରପକ୍ଷେ ମାମଲାର ପରବର୍ତ୍ତି ଶୁଣାଣି ୪ ସପ୍ତାହ ପରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ଗତ ଡିସେମ୍ବର ମାସରେ ୪ଥର ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ପାଇଁ ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରିଥିବାବେଳେ ଓକିଲଙ୍କ ଲଗାତାର ଅନୁପସ୍ଥିତ ଯୋଗୁଁ ଶୁଣାଣି ସ୍ଥଗିତ ରଖାଯାଇଥିଲା।

ସୂଚନାଯୋଗ୍ୟ ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଦୀପକ ଗୁପ୍ତାଙ୍କ ନାମରେ ୧୫୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣାରେ ଭିଜିଲାନ୍ସ ପକ୍ଷରୁ ଦୀପକ ଗୁପ୍ତାଙ୍କ ନାମରେ ମାମଲା ରୁଜୁ ହେବା ସହ ତାଙ୍କୁ ୨୦୧୩ ସେପ୍ଟେମ୍ବର ୪ ତାରିଖରେ ଗିରଫ କରାଯାଇଥିଲା। ଦୀପକ ଗୁପ୍ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ଯଥେଷ୍ଟ ପ୍ରମାଣ ରହିଥିବା ଦର୍ଶାଇ ହାଇକୋର୍ଟ ଲଗାତାର ୪ଥର ଜାମିନ ଆବେଦନ ଖାରଜ କରିବାପରେ ଦୀପକ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାପୁର୍ବରୁ ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ୨୦୧୫ରେ ସୁପ୍ରିମକୋର୍ଟରେ ନାମଞ୍ଜୁର ହୋଇଯାଇଥିଲା।

ସମ୍ବନ୍ଧିତ ଖବର