ମୁମ୍ବାଇ: ଅଶ୍ଲୀଳ ବିଷୟବସ୍ତୁ ଉପରେ ଭାରତ ସରକାରଙ୍କ ପ୍ରହାର। ଅମାନିଆ ଅଶ୍ଲୀଳ ଆପ୍ ଉପରେ ଲଗାମ ଲଗାଇଲେ ସରକାର। ଆଜି ଏକ ବଡ଼ ନିଷ୍ପତ୍ତି ନେଇ ଉଲ୍ଲୁ, ଅଲ୍ଟ, ଦେଶୀଫ୍ଲିକ୍ସ, ବିଗ୍ ସଟ୍ସ ଏବଂ ଅନ୍ୟାନ୍ୟ ୨୫ଟି ଷ୍ଟ୍ରିମିଂ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ପୂର୍ବରୁ ଅଶ୍ଲୀଳ ବିଷୟବସ୍ତକୁ ବିରୋଧ କରିଆସୁଥିବା ସରକାର ଆଜି ନିଜର ନୀତିକୁ ଯଥାର୍ଥ କରି ଏହି ନିଷ୍ପତ୍ତି ନେଇଛନ୍ତି।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପାଖକୁ ଏନେଇ ଅଭିଯୋଗ ଆସିବା ପରେ ମନ୍ତ୍ରାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତରୁ ଜଣାପଡିଥିଲା ଯେ, ଯୌନଉଦ୍ଦୀପକ ୱେବ୍ ସିରିଜ୍ ନାମରେ ଅଶ୍ଲୀଳ କଣ୍ଟେଣ୍ଟ ଖୋଲାଖୋଲି ଭାବରେ ପ୍ରସାରିତ ହେଉଛି। ସରକାର ଜାଣିପାରିଲେ ଯେ, ୧୮ରୁ ଅଧିକ ଓଟିଟି ଚ୍ୟାନେଲର ବିଷୟବସ୍ତୁ ଆଇଟି ନିୟମ ୨୦୨୧ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୨୯୨/୨୯୩ ଉଲ୍ଲଂଘନ କରୁଛି। ଏହା ଜଣାପଡ଼ିବା ପରେ ସରକାର ଏକ ବିଜ୍ଞପ୍ତି ଜାରି କରି ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନଙ୍କୁ ଦେଶବ୍ୟାପୀ ଏପରି ଅଶ୍ଲୀଳ ବିଷୟବସ୍ତୁ ପ୍ରଦର୍ଶନ କରୁଥିବା ୨୫ଟି ୱେବସାଇଟ୍କୁ ତୁରନ୍ତ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ମନ୍ତ୍ରାଳୟ ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପ୍ରସାରଣ ପାଇଁ ୧୯ଟି ୱେବସାଇଟ୍, ୧୦ଟି ଆପ୍ ଏବଂ ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ନିଷିଦ୍ଧ କରିଥିଲେ ସରକାର।