୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ

ଭୋପାଳ: କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ଉମା ଭରତୀ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶର ଏହି ଶୀର୍ଷ ନେତ୍ରୀ ନିର୍ବାଚନ ମଇଦାନକୁ ନ ଓହ୍ଲାଇ ଥିଲେ ହେଁ ସକ୍ରିୟ ରାଜନୀତିରେ ରହିବେ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ସେ ବିଜେପି ନେତୃତ୍ୱ ଠାରୁ ଅନୁମତି ନେବେ ବୋଲି କହିଛନ୍ତି।

ନିର୍ବାଚନ ରାଜନୀତିରୁ ଦୂରେଇ ରହି ସେ ରାମ ମନ୍ଦିର ନିର୍ମାଣ ଓ ଗଙ୍ଗା ସ୍ୱଚ୍ଛତା ଅଭିଯାନ ଲାଗି ଅଧିକ ସମୟ ଦେବେ ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ଅନୁଯାୟୀ ରାମ ମନ୍ଦିର ନିର୍ମାଣ ଲାଗି ଦେଶରେ ଏକ ଅନୁକୂଳ ପରିବେଶ ତିଆରି ହେବା ଏକାନ୍ତ ଆବଶ୍ୟକ।

୨୦୧୯ ଜାନୁଆରି ୧୫ ତାରିଖଠାରୁ ସେ ଗଙ୍ଗା ଯାତ୍ରା ଆରମ୍ଭ କରିବେ। ଏହି ଯାତ୍ରା ପ୍ରାୟ ଦେଢ଼ ବର୍ଷ ଧରି ଚାଲିବ ଏବଂ ଗଙ୍ଗାର କୂଳରେ ସେ ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଏଥିଲାଗି ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଠାରୁ ଅନୁମତି ଲୋଡିବେ ବୋଲି କହିଛନ୍ତି ଉମା।

ଉଲ୍ଲେଖଯୋଗ୍ୟ କି, ଏଥିପୂର୍ବରୁ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର