ଗଧିଆଙ୍କ ଗହଳିରେ ନୁପୁରଙ୍କୁ ଏକାକୀ ଛାଡ଼ିଦେବା ଉଚିତ ନୁହେଁ: ଉମାଭାରତୀ

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ବିଜେପିରୁ ନିଲମ୍ବିତ ହୋଇଥିବା ମୁଖପାତ୍ର ନୁପୁର ଶର୍ମାଙ୍କ ବାବଦରେ ବଡ ବୟାନ ଦେଇଛନ୍ତି ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ଉମାଭାରତୀ | ଉମା ନୁପୁରଙ୍କ ସମର୍ଥନରେ ବାହାରିଥିବାବେଳେ ସେ କହିଛନ୍ତି ଯେ ତାଙ୍କ ବୟାନ ପାଇଁ ଦଳ ତାଙ୍କ ବିରୋଧରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, କିନ୍ତୁ ଏହା ସତ୍ତ୍ୱେ ଆମେ ସମସ୍ତେ ନୁପୁରଙ୍କ ସହିତ ଛିଡ଼ା ହେବା ଉଚିତ୍ | ଉମାଭାରତୀ ଖୋଲାଖୋଲି ଭାବେ କହିଛନ୍ତି ଯେ ନୁପୁରଙ୍କୁ ଦିଆଯାଉଥିବା ଧମକକୁ ଦୃଷ୍ଟିରେ ରଖି ମୁସଲିମ ନେତାମାନେ ମଧ୍ୟ ତାଙ୍କ ସପକ୍ଷରେ ଠିଆ ହେବା ଉଚିତ। ଧର୍ମ ବିରୁଦ୍ଧରେ କଥା କହିଥିବାରୁ ଦଳ ଠିକ୍ ପଦକ୍ଷେପ ନେଇଛି ।

ତେବେ ନୁପୁର ଶର୍ମାଙ୍କୁ ହତ୍ୟା କରିବାର ଧମକକୁ ନେଇ ବିଜେପି ନେତ୍ରୀ ଉମାଭାରତୀ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ନୁପୁରଙ୍କୁ ହତ୍ୟା ଧମକ ଦେବା ଭୁଲ ଓ ଏହା ଆମ ସମାଜର ପରମ୍ପରା ନୁହେଁ | ସେ କହିଛନ୍ତି, “ମୁସଲମାନ ନେତା ଏବଂ ଆମେ ସମସ୍ତେ ଏବେ ତାଙ୍କ ସହିତ ଛିଡ଼ା ହେବା ଉଚିତ୍ | ତାଙ୍କୁ ଗଧିଆମାନଙ୍କ ଗହଳିକୁ ଫିଙ୍ଗି ଦିଆଯିବା ଉଚିତ୍ ନୁହେଁ। ”

ସୂଚନା ଥାଉ କି ନିକଟ ଅତୀତରେ ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ଏକ ଟେଲିଭିଜନ୍‌ ଚାନେଲ୍‌ରେ ସମ୍ବାଦ ବିତର୍କ ଚାଲିଥିବା ବେଳେ ବିଜେପିର ମୁଖପାତ୍ର ନୁପୁର ଶର୍ମା ମହାପୁରୁଷ ମହମ୍ମଦଙ୍କ ସଂକ୍ରାନ୍ତରେ ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ | ଆଉ ଏହା ପରେ ବିଜେପି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କରିଥିଲା | ସେହିପରି ତାଙ୍କର ଏପରି ବୟାନ ‌ହେତୁ ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଥିଲା । ଏଭଳି ଟିପ୍ପଣୀର ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଭାରତ ସରକାର ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର