ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ୬୬୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ତେବେ ଚଳିତ ବିଧାନସଭା ନିର୍ବାଚନରେ କୌଣସି ଓଡ଼ିଆ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁନାହାନ୍ତି। ଗତ ୨୦୧୫ ବିଧାନସଭା ନିର୍ବାଚନରେ ଦକ୍ଷିଣ ଦିଲ୍ଲୀର କସ୍ତୁରବା ନଗର ଆସନରେ ସ୍ବାଧୀନ ପ୍ରାର୍ଥୀ ରୂପେ ବିଶ୍ବମ୍ଭର ନାୟକ ନାମକ ଓଡ଼ିଆ ନିର୍ବାଚନ ଲଢ଼ିଥିଲେ। ତେବେ, ଚଳିତ ନିର୍ବାଚନରେ କୌଣସି ଓଡ଼ିଆ ନିର୍ବାଚନୀ ମଇଦାନରେ ନାହାନ୍ତି। ଜଣେ ଓଡ଼ିଆ ଜାମାତା ଲଗାତାର ଦ୍ବିତୀୟ ଥର ପାଇଁ ଆପ୍‌ ପକ୍ଷରୁ ନଜଫଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେ ହେଉଛନ୍ତି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗେହଲଟ୍‌। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଉମା ଶଙ୍କର ମିଶ୍ରଙ୍କ କନ୍ୟା ମୌସୁମୀ ମିଶ୍ରଙ୍କୁ ସେ ବିବାହ କରିଛନ୍ତି। ଜଣେ ପ୍ରତିଷ୍ଠିତ ଆ‌ଇନଜୀବୀ ଭାବେ କୈଳାସ ଗେହଲଟଙ୍କର ଖ୍ୟାତି ରହିଛି। ନଜଫଗଡ଼ ଆସନରେ ସମୁଦାୟ ୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବାବେଳେ କୈଳାସ ନିଜର ପୂର୍ବ ବିଜୟ ବଜାୟ ରଖିବାପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି।

Advertisment

ଅନ୍ୟପକ୍ଷରେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ କ‌ୌଣସି ଓଡ଼ିଆ ପ୍ରାର୍ଥୀ ନଥିଲେ ମଧ୍ୟ ଓଡ଼ିଆ ଭୋଟରଙ୍କ ସମର୍ଥନ ପାଇଁ ଆପ୍‌, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି। ଦିଲ୍ଲୀର ମୁନିରିକା, ଶାହପୁର, ଜାଟ୍‌, କୋଟ୍‌ଲା, ମୁବାରକପୁର, କୋଟ୍‌ୱାରିଆ ସରାୟ, ବେର ସରାୟ, ଜିଆ ସରାଏ , ମେହରୋଲୀ, ସାକେତ, ମାଲବ୍ୟନଗର, ଦ୍ବାରକା , ଝିଲମିଲ କଲୋନି, ନ୍ୟୁ ଅଶୋକ ନଗର, ଜୋରବାଗ୍‌, ଲକ୍ଷ୍ମୀନଗର, ମୟୂରବିହାର ଭଳି ଅଞ୍ଚଳରେ ଓଡ଼ିଆମାନେ ରହୁଥିବାରୁ ସେସବୁ ଅଧୀନସ୍ଥ ବିଧାନସଭା ଆସନରେ ପ୍ରାର୍ଥୀମାନେ ଓଡ଼ିଆଙ୍କ ସମର୍ଥନ ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି।