ଉମେଶ ପାଲ୍‌ ହତ୍ୟା ମାମଲା: ସାବରମତୀ ଜେଲ୍‌ରୁ ସଡ଼କ ପଥରେ ପ୍ରାୟଗରାଜକୁ ସ୍ଥାନାନ୍ତର ହେବେ ଆତିକ୍‌ ଅହମଦ୍‌

ପ୍ରୟାଗରାଜ: ଗ୍ୟାଙ୍ଗଷ୍ଟର୍‌ରୁ ରାଜନେତା ହୋଇଥିବା ଆତିକ୍‌ ଅହମଦ୍‌ଙ୍କୁ ଗୁଜରାଟର ସାବରମତୀ ଜେଲ୍‌ରୁ ପୋଲିସ୍‌ ଭ୍ୟାନ୍‌ରେ ସଡ଼କ ପଥ ଦେଇ ପ୍ରୟାଗରାଜକୁ ନିଆଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ଆଜି ଅପରାହ୍ଣ ୩ଟାରେ ଉତ୍ତର ପ୍ରଦେଶ ପୁଲିସ ଗୁଜରାଟ ଜେଲ୍‌ ପରିସର ଛାଡ଼ିବ ବୋଲି ମଧ୍ୟ ଉପରୋକ୍ତ ସୂତ୍ର ସୂଚନା ଦେଇଛି।

ଏହା ପୂର୍ବରୁ ପୁଲିସ ଆତିକ୍‌ଙ୍କ ସ୍ବାସ୍ଥ୍ୟର ଡାକ୍ତରୀ ପରୀକ୍ଷା କରାଇବ। ସମ୍ପ୍ରତି ଗୁଜରାଟ କାରାଗାରରେ ଥିବା ଅହମଦ୍‌ ହେଉଛନ୍ତି ୨୦୦୫ରେ ସଙ୍ଗଠିତ ‘ବିଏସ୍‌ପି’ ବିଧାୟକ ରାଜୁ ପଟେଲ୍‌ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ଏହାଛଡ଼ା, ଏହି ହତ୍ୟାକାଣ୍ଡର ପ୍ରମୁଖ ସାକ୍ଷୀ ଉମେଶ ପାଲ୍‌ଙ୍କୁ ହତ୍ୟା କରାଯିବା ଘଟଣାରେ ମଧ୍ୟ ଅହମଦ୍‌ ‌ଓ ତାଙ୍କ ସହ‌ଯୋଗୀମାନଙ୍କୁ ଅଭିଯୁକ୍ତ କରାଯାଇଛି।

Image Courtesy of Oneindia

ଅହମଦ୍‌ଙ୍କୁ ମଧ୍ୟପ୍ରଦେଶର ଶିବପୁରୀ ଓ ଉତ୍ତର ପ୍ରଦେଶର ଝାନ୍‌ସୀ ଦେଇ ନେବା ପାଇଁ ପୁଲିସ ରାସ୍ତା ନିରୂପଣ କରିଛି। ଆଜି ସକାଳେ ପ୍ରୟାଗରାଜ ପୁଲିସର ଏକ ଟିମ୍‌ ଗୁଜରାଟ ଜେଲ୍‌ରେ ପହଞ୍ଚି ଅହମଦ୍‌ଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ବିସ୍ତୃତ ଯୋଜନା କରିଥିଲା।

ଏହି ସଡ଼କ ପଥରେ ସ୍ଥାନାନ୍ତରଣ ଯାତ୍ରା ପାଇଁ ୩୬ ଘଣ୍ଟା ସମୟ ଲାଗିବ ବୋଲି ପୁଲିସ କହିଛି।

ପୂର୍ବରୁ ଉତ୍ତର ପ୍ରଦେଶ ପୁଲିସ କହିଥିଲା ଯେ, ଆତିକ୍‌ ଅହମଦ୍‌ଙ୍କ ପରିବାରର ସଦସ୍ୟମାନଙ୍କ ନାଁରେ ୧୬୦ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। କେବଳ ଆତିକ୍‌ଙ୍କ ନାଁରେ ୧୦୦ଟି ମାମଲା ରହିଥିବା ବ‌େଳେ ତାଙ୍କ ଭାଇ ଅଶ୍‌ରଫ୍‌ଙ୍କ ନାଁରେ ୫୨ଟି, ପତ୍ନୀ ଶୈସତା ପର୍‌ୱିନ୍‌ ନାଁରେ ୩ଟି, ପୁଅ ଅଲି ଓ ଉମର୍‌ ଅହମଦ୍‌ ନାଁରେ ଯଥାକ୍ରମେ ୪ ଓ ୧ଟି ମାମଲା ରହିଛି।

ସମ୍ବନ୍ଧିତ ଖବର