ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସହଗଠନ (ହୁ) ସୋମବାର ଦ୍ବିତୀୟ ମ୍ୟାଲେରିଆ ଟିକାକୁ ଅନୁମୋଦନ ଦେଇଛି। ଏହାଦ୍ବାରା ବିଶ୍ବବାସୀ ମ୍ୟାଲେରିଆ ଟିକାର ଏକ ଅପେକ୍ଷାକୃତ ଶସ୍ତା ଓ ପ୍ରଭାବଶାଳୀ ଦ୍ବିତୀୟ ବିକଳ୍ପ ପାଇପାରିବେ। ଉଲ୍ଲେଖନୀୟ ଯେ, ଭାରତର ସିରମ୍ ଇନ୍‌‌ଷ୍ଟିଚ୍ୟୁଟ୍‌ର ସହଯୋଗରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏହି ତିନି ମାତ୍ରାବିଶିଷ୍ଟ ନୂତନ ଟିକାର ବିକାଶ କରିଛି। ହୁ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନମ ଗେବ୍ରେୟେସସ କହିଛନ୍ତି, ଦୁଇଟି ବିଶେଷଜ୍ଞ ଦଳଙ୍କ ସୁପାରିସକ୍ରମେ ଜାତିସଂଘର ସ୍ବାସ୍ଥ୍ୟ ‌ଏଜେନ୍ସି ନୂତନ ମ୍ୟାଲେରିଆ ଟିକାକୁ ଅନୁମୋଦନ କରିଛି, ଯାହାକୁ ପିଲାମାନେ ମଧ୍ୟ ନେଇପାରିବେ। ସେ କହିଛନ୍ତି, ଜଣେ ମ୍ୟାଲେରିଆ ଗବେଷକ ଭାବେ ମୁଁ ସ୍ବପ୍ନ ଦେଖୁଥିଲି ଦିନେ ଏପରି ସଫଳ ମ୍ୟାଲେରିଆ ଟିକାର ବିକାଶ ହେବ ବୋଲି। ମୋର ସେହି ସ୍ବପ୍ନ ଆଜି ସକାର ହୋଇଛି ବୋଲି ଗେବ୍ରେୟେସସ କହିଛନ୍ତି।

Advertisment

ଗବେଷଣାରୁ ଜଣାପଡ଼ିଛି ଯେ, ଏହି ଟିକା ମ୍ୟାଲେରିଆ ବିରୋଧରେ ୭୫ ପ୍ରତିଶତ ଫଳପ୍ରଦ। ଏହି ଟିକାର ମୂଲ୍ୟ ୨ରୁ ୪ ଡଲାର ଭିତରେ ରହିବ, ଯାହା ଆସନ୍ତା ବର୍ଷ ସୁଦ୍ଧା କେତେକ ଦେଶରେ ଉପଲବ୍ଧ ହୋଇପାରିବ ବୋଲି ହୁ ମହାନିର୍ଦ୍ଦେଶକ କହିଛନ୍ତି। ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସର ଜନ ଜନସନ କହିଛନ୍ତି, ଏହି ଟିକା ନେଲେ ବି ମଶାରି ବ୍ୟବହାର କରିବାକୁ ପଡ଼ିବ କାରଣ ଏହା କେବେହେଲେ ମଶାରିର ବିକଳ୍ପ ହୋଇ ନ ପାରେ। ଏହି ଟିକା ମ୍ୟାଲେରିଆରୁ ସୁରକ୍ଷା ଦେଲେ ମଧ୍ୟ ରୋଗକୁ ସମ୍ପୂର୍ଣ୍ଣ ବନ୍ଦ କରିପାରିବ ନାହିଁ।

୨୦୨୧ ମସିହାରେ ହୁ ମ୍ୟାଲେରିଆର ପ୍ରଥମ ଟିକାକୁ ଅନୁମୋଦନ ଦେଇଥିଲା, ଯାହାକୁ ମଶାବାହିତ ରୋଗ ବିରୋଧରେ ଏକ ଐତିହାସିକ ସଫଳତା ବୋଲି ଅଭିହିତ କରାଯାଇଥିଲା। ମ୍ୟାଲେରିଆ ଯୋଗୁ ସାରା ବିଶ୍ବରେ ବାର୍ଷିକ ୨୦୦ ନିୟୁତ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୪୦୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଥାଏ। ଜିଏସ୍‌କେ ଦ୍ବାରା ପ୍ରସ୍ତୁତ ପ୍ରଥମ ଟିକା ମସ୍କ୍ବିରିକ୍ସ ମ୍ୟାଲେରିଆ ବିରୋଧରେ ୩୦ ପ୍ରତିଶତ ଫଳପ୍ରଦ ହୋଇଥିବା ବେଳେ ଏହାର ଚାରିଟି ଡୋଜ୍ ନେବାକୁ ପଡ଼େ। କିନ୍ତୁ ନୂତନ ଟିକା ୭୫ ପ୍ରତିଶତ ଫଳପ୍ରଦ ଏବଂ ଏହାର ତିନୋଟି ଡୋଜ୍ ନେବାକୁ ପଡ଼ିବ ବୋଲି ହୁ ସୂତ୍ରରୁ ଜଣାପଡ଼ିଛି। ଜିଏସ୍‌କେ ବର୍ଷକୁ ମାତ୍ର ୧୫ ନିୟୁତ ଟିକା ଉତ୍ପାଦନ କ୍ଷମତା ରଖିଥିବା ବେଳେ ଭାରତର ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ବର୍ଷକୁ ୨୦୦ ନିୟୁତ ଅକ୍ସଫୋର୍ଡ ଟିକା ଉତ୍ପାଦନ କରିପାରିବ ବୋଲି ପ୍ରକାଶ କରିଛି।