ନୂଆଦିଲ୍ଲୀ: ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପାଇଁ ଜୁଲାଇ ୧୭ ତାରିଖ ଦିନ ଅନ୍ତର୍ଜାତୀୟ ଅଦାଲତ ଭାରତ କରିଥିବା ଆବେଦନ ଉପରେ ରାୟ ଶୁଣାଇବେ।

Advertisment

ଗୁରୁବାର ଦିନ ଅନ୍ତର୍ଜାତୀୟ ଅଦାଲତ ବା ଜାତିସଂଘ ଅଦାଲତ ଘୋଷଣା କରିଛି: ଦି ହେଗ୍‌ସ୍ଥିତ ଶାନ୍ତି ପ୍ରାସାଦରେ ଅପରାହ୍ଣ ୩ଟା ବେଳେ ଏକ ସର୍ବସାଧାରଣ ବୈଠକ ବସିବ। ଏହି ସମୟରେ ଅଦାଲତର ଅଧ୍ୟକ୍ଷ ବିଚାରପତି ଅବ୍‌ଦୁଲ୍‌କାଓ୍ଵି ଅହମଦ ୟୁସୁଫ୍‌ ଅଦାଲତଙ୍କ ନିଷ୍ପତ୍ତି ପାଠ କରିବେ।

publive-image Image Courtesy of Netherlands Tourism

ଗୁପ୍ତଚର ବୃତ୍ତି ଅଭିଯୋଗରେ କୁଳଭୂଷଣଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶ ପ୍ରତ୍ୟାହାର ପାଇଁ ପାକିସ୍ତାନକୁ ନିର୍ଦେଶ ଦିଆଯାଉ ବୋଲି ଭାରତ ବିଶ୍ୱ ନ୍ୟାୟାଳୟରେ ଆବେଦନ କରିଥିଲା। ଭାରତ ଯୁକ୍ତି ବାଢ଼ିଥିଲା କି, ଇସ୍‌ଲାମାବାଦ ଭିଏନା କନ୍‌ଭେନ୍‌ସନ୍‌ କନ୍‌ସୁଲାର୍‌ ଆକ୍‌ସେସ୍‌ ଓ ପ୍ରସ୍ତାବନା ପ୍ରକ୍ରିୟାକୁ ଉଲ୍ଲଂଘନ କରିଛି, ଏବଂ ମିଥ୍ୟା ମାମଲା ଆଧାରରେ ପାକିସ୍ତାନୀ ସାମରିକ ଅଦାଲତ ଏହି ମୃତ୍ୟୁ ଦଣ୍ଡାଦେଶ ଦେଇଛି।

ମାର୍ଚ ୨୦୧୬ରେ ଯାଦବଙ୍କୁ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରୁ ଗିରଫ କରିଥିବା କଥା ପାକିସ୍ତାନ ଦାବି କରୁଥିବା ବେଳେ ଭାରତ କହୁଛି କି, ସେ ବ୍ୟାବସାୟିକ ଗସ୍ତରେ ଇରାନ୍‌ ଯାଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଛି।