ପୁରୁଷ ସହକର୍ମୀଙ୍କୁ ଯୌନ ଉତ୍ପୀଡ଼ନ ମହଙ୍ଗା ପଡ଼ିଲା; ମିଳିତ ଜାତିସଂଘ କାର୍ଯ୍ୟାଳୟରୁ ବହିଷ୍କୃତ ହେଲେ ଭାରତୀୟ କର୍ମଚାରୀ

ଓ୍ଵାଶିଂଟନ: ମିଳିତ ଜାତିସଂଘ (ୟୁଏନ୍‌)ରେ କାର୍ଯ୍ୟରତ ଜଣେ ଭାରତୀୟ, କାର୍ଯ୍ୟାଳୟରେ ନିଜର ପୁରୁଷ ସହକର୍ମୀମାନଙ୍କୁ ଯୌନ ଉତ୍ପୀଡ଼ନ ଦେବା ଘଟଣା ଏବେ ତାଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅପରାଧ ପାଇଁ ତାଙ୍କୁ ମିଳିତ ଜାତିସଂଘରୁ ବହିଷ୍କୃତ କରାଯିବା ସହ ମିଳିତ ଜାତିସଂଘ ଅଧୀନସ୍ଥ ଆଉ କୌଣସି କାର୍ଯ୍ୟାଳୟରେ ସେ ଚାକିରି କରିପାରବେ ନାହିଁ ବୋଲି ଆଜି ମିଳିତ ଜାତିସଂଘ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ମିଳିତ ଜାତିସଂଘରେ କାର୍ଯ୍ୟ କରୁଥିବା ଏହି ଭାରତୀୟ ଜଣଙ୍କର ନାମ ହେଉଛି ରବି କାର୍‌କରା। ଗତ ପ୍ରାୟ ବର୍ଷକ ତଳେ ସେ ତାଙ୍କର ଜଣେ ପୁରୁଷ ସହକର୍ମୀଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିବା ନେଇ ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ମିଳିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ଆଗତ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ ହୋଇଥିଲା। ତେବେ, ତଦନ୍ତ କରୁଥିବା ତଦନ୍ତ କମିଟି ଅଭିଯୋଗର ସତ୍ୟତା ରହିଥିବା ଏବଂ ରବି କାର୍‌କରା ତାଙ୍କର ଅନ୍ୟ ପୁରୁଷ ସହକର୍ମୀମାନଙ୍କୁ ମଧ୍ୟ ଯୌନ ଉତ୍ପୀଡ଼ନ ଦେଉଥିବା ନେଇ ରିପୋର୍ଟ ଦେବା ପରେ ଆଜି ତାଙ୍କୁ ମିଳିତ ଜାତିସଂଘରୁ ବହିଷ୍କୃତ କରାଯିବା ସହ ମିଳିତ ଜାତିସଂଘ ଅଧୀନସ୍ଥ ଆଉ କୌଣସି କାର୍ଯ୍ୟାଳୟରେ ସେ ଚାକିରି କରିପାରବେ ନାହିଁ ବୋଲି ମିଳିତ ଜାତିସଂଘ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସମ୍ବନ୍ଧିତ ଖବର