ମସ୍କୋ: ‘ଜାତିସଂଘ ନିରାପତ୍ତା ପରିଷଦ୍‌’ର ଆଜେଣ୍ଡାରେ ୟୁ‌କ୍ରେନ୍‌ ସଙ୍କଟ ପ୍ରସଙ୍ଗ ନ ଥିବାରୁ ସେଠାକୁ ଶାନ୍ତିସେନା ପଠାଇବା ପାଇଁ ଜାତିସଂଘ ନିକଟରେ କୌଣସି ଯଥାର୍ଥ କାରଣ ନାହିଁ ବୋଲି ରୁଷୀୟ ବୈଦେଶିକ ମନ୍ତ୍ରାଳୟର ‘ଆନ୍ତର୍ଜାତିକ ସଙ୍ଗଠନ ବିଭାଗ’ର ନିର୍ଦେଶକ ପିଓତିର୍‌ ଇଲିଏଚଭ୍‌ କହିଛନ୍ତି।

Advertisment

ସଦ୍ୟତମ ସୂଚନା ଅନୁସାରେ, କିବ୍‌ ଉପନଗରୀ ଅଞ୍ଚଳରେ ରୁଷ୍‌ ଆକ୍ରମଣ ଜାରି ରଖିଛି। ଗତରାତିରେ ରୁଷୀୟ ସେନା କିବ୍‌ ଉତ୍ତରପଶ୍ଚିମ ଉପନଗରୀରେ ତୋପ ବର୍ଷଣ କରିବା ସହିତ ରାଜଧାନୀର ପୂର୍ବାଞ୍ଚଳରେ ଥିବା କେତେକ ସ୍ଥାନରେ ମଧ୍ୟ ଆକ୍ରମଣ କରିଥିବା କଥା ଆଜି କିବ୍‌ ଅଞ୍ଚଳର ମୁଖ୍ୟ କହିଛନ୍ତି।

ୟୁକ୍ରେନୀୟ ଟେଲିଭିଜନ୍‌ରେ ଆଞ୍ଚଳିକ ପ୍ରଶାସନ ମୁଖ୍ୟ ଓଲେକ୍ସି କୁଲେବା କହିଛନ୍ତି, ଯୁଦ୍ଧରେ କିବ୍‌ର ପୂର୍ବାଞ୍ଚଳରେ ଥିବା ବ୍ରୋଭାରିର ଜଣେ କାଉନ୍‌ସିଲର୍‌ଙ୍କର ମୃତ୍ୟୁ ଘଟିଛି। ଉତ୍ତରପଶ୍ଚିମ ନଗରୀ ଇର୍‌ପିନ୍‌, ବୁକା ଏବଂ ହଷ୍ଟୋମେଲ୍‌ ଉପରେ ରାତିସାରା ଆକ୍ରମଣ ଚାଲିଥିବା କଥା ମଧ୍ୟ ସେ ରିପୋର୍ଟ କରିଛନ୍ତି।

publive-image Image Courtesy of NBC News

ଆଜି ଭୋର୍‌ ୫ଟା ବେଳେ ରୁଷୀୟ ସେନା ବୋମା ବର୍ଷଣ କରିବାରୁ କିବ୍‌ରେ ଗୋଟାଏ ଆପାର୍ଟମେଣ୍ଟ୍‌ ବ୍ଲକ୍‌ରେ ନିଆଁ ଲାଗିଯାଇଛି। ୯ ତାଲାବିଶିଷ୍ଟ ଏହି ଅଟ୍ଟାଳିକାରେ ଲାଗିଥିବା ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ଧାଇଁ ଯାଇଥିଲେ। କିନ୍ତୁ, ଆପାର୍ଟମେଣ୍ଟ୍‌ ଭୁଶୁଡ଼ି ପଡ଼ିବାରୁ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ୩ଜଣ ଆହତ ହୋଇଛନ୍ତି। ଉଦ୍ଧାରକାରୀମାନେ ସେଠାରୁ ୬୩ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

ୟୁକ୍ରେନ୍‌ ସଶସ୍ତ୍ର ବାହିନୀର ‘ଜେନେରାଲ୍‌ ଷ୍ଟାଫ୍‌’ ଆଜି ସକାଳେ କହିଛନ୍ତି ଯେ, ପଶ୍ଚିମରେ ଅଧିକ ଅଞ୍ଚଳ ଆକ୍ରମଣ କରିବା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ରୁଷୀୟ ସେନା ବିଶେଷ କିଛି ଅଗ୍ରଗତି କରିପାରିନାହିଁ।

ଯୁଦ୍ଧ ୧୯ ଦିନରେ ପ୍ରବେଶ କରିଥିବା ବେଳେ ‘ଫେସ୍‌ବୁକ୍‌’ରେ ବିବୃତି ଦେଇ ‘ଜେନେରାଲ୍‌ ଷ୍ଟାଫ୍‌’ କହିଛନ୍ତି, ୟୁକ୍ରେନ୍‌ ସେନା ରୁଷୀୟ ଘାଟି, ସେମାନଙ୍କର ପରିବହନ ସାମର୍ଥ୍ୟ ଆଦି ଉପରେ ଆକ୍ରମଣ ଚଳାଇଛି। ରୁଷୀୟ ସେନା ଗୀର୍ଜ ଏବଂ ବେସାମରିକ ନାଗରିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଭିତ୍ତିଭୂମିରୁ ଥାଇ ଗୁଳିଗୋଳା ବର୍ଷଣ କରୁଥିବାରୁ ୟୁକ୍ରେନ୍‌ ସେନା ପ୍ରତିଆକ୍ରମଣ କରିବାରେ ଅସୁବିଧା ହେଉଛି।