ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଲେ ଜାତିସଂଘ ମୁକ ପାଲଟିଯାଉଛି : ଇସ୍କନ

କୋଲକାତା : ଯେତେବେଳେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଛି ସେତେବେଳେ ମିଳିତ ଜାତିସଂଘ କାହିଁକି ଚୁପ ରହୁଛି ? ଏପରି ପ୍ରଶ୍ନ ଉଠାଇଛି କୋଲକାତାସ୍ଥିତ ଇସ୍କନ କାର୍ଯ୍ୟାଳୟ ।

ଢାକାସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଇସ୍କନ କୋଲକାତାର ଉପ-ସଭାପତି ରାଧାରମଣ ଦାସ କହିଛନ୍ତି ଯେ ହିନ୍ଦୁମାନେ ସହାୟତା ପାଇଁ ଜାତିସଂଘ ପରି ସଂସ୍ଥା ଉପରେ ଭରସା କରିବା ଉଚିତ ନୁହେଁ, କାରଣ ସେଗୁଡ଼ିକ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଲେ ଚୁପ ରହୁଛନ୍ତି । ଦୋଳ ଓ ହୋଲି ଉତ୍ସବ ଚାଲିଥିବା ବେଳେ ଏହି ଆକ୍ରମଣ ବେଶ ଦୁର୍ଭାଗ୍ୟଜନକ । ମାର୍ଚ୍ଚ ୧୫ କୁ ଇସ୍ଲାମୋଫୋବିଆ ବିରୋଧୀ ଦିବସ ଭାବେ ପାଳନ ପାଇଁ ଜାତିସଂଘରେ ଗୃହୀତ ସଂକଳ୍ପର କିଛି ଦିନ ପରେ ଏପରି ଘଟଣା ଘଟିଛି ।

ଗୁରୁବାର ଦିନ ଢାକାର ୱାରିସ୍ଥିତ ୨୨୨ ଲାଲ୍‌ମୋହନ ଶାହା ‌ଷ୍ଟ୍ରିଟ୍‌ରେ ଥିବା ‘ଇସ୍କନ ରାଧାକାନ୍ତ ମନ୍ଦିରକୁ ୨୦୦ରୁ ଅଧିକ ଉତ୍ତ୍ୟକ୍ତ ବ୍ୟକ୍ତି ଆକ୍ରମଣ କରି, ଭଙ୍ଗାରୁଜା କରିବା ସହିତ ଲୁଟତରାଜ  କରିଥିଲେ । ଏହି ଆକ୍ରମଣରେ ସୁମନ୍ତ୍ର ଚନ୍ଦ୍ର ଶ୍ରବଣ, ନିହାର ହଲ୍‌ଦାର୍‌, ରାଜୀବ ଭଦ୍ରାଙ୍କ ସମେତ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି । ଏହି ଆକ୍ରମଣକାରୀ ଜନତାଙ୍କର ନେତୃତ୍ବ ନେଇଥିଲେ ହାଜି ଶଫିଉଲ୍ଲା । ସେମାନେ ମନ୍ଦିର ଓ ଶ୍ରୀବିଗ୍ରହ ଭଙ୍ଗାରୁଜା କରିବା ସହ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍‌ କରି ନେଇଛନ୍ତି ।

 

ସମ୍ବନ୍ଧିତ ଖବର