ଘୃଣାର ସୁନାମି ବୁହାଉଛି କରୋନା: ଜାତିସଂଘ

ଜାତିସଂଘ: ଏକ ଅପ୍ରତ୍ୟାଶିତ ଘଟଣା କ୍ରମେ ସାରା ବିଶ୍ବରେ ଏ ଯାବତ୍ ସାଢେ଼ ୩୯ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୨ଲକ୍ଷ ୭୨ ହଜାରରୁ ଅଧିକ ଲୋକଙ୍କ ପାଇଁ ମୃତ୍ୟୁ ଆଣିଥିବା ମହାମାରୀ କୋଭିଡ୍–୧୯ ସର୍ବତ୍ର ଘୃଣାର ସୁନାମି ବୁହାଇ ଚାଲିଛି। ବିଶେଷ କରି ବିଦେଶୀ ତଥା ଅଚିହ୍ନାମାନଙ୍କ ପ୍ରତି ଏହା ଘୃଣାଭାବ ଓ କୋକୁଆ ଭୟ ସୃଷ୍ଟି କରିବା ସହ ସେମାନଙ୍କୁ ବିଦ୍ବେଷର ଶିକାର ହେବାକୁ ପଡୁଛି। ତେଣୁ ଏଭଳି ସ୍ଥିତିରେ କୌଣସି ପ୍ରକାର ଘୃଣାଭାବ ଜାଗ୍ରତ କରୁଥିବା ଭାଷଣବାଜିରେ ରୋକ ଲଗାଇବା ପାଇଁ ବିଶ୍ବସ୍ତରୀୟ ଉଦ୍ୟମ ଲାଗି ଜାତିସଂଘ ମହାସଚିବ ଆଣ୍ଟାନିଓ ଗୁଟର୍ସ ଆହ୍ବାନ କରିଛନ୍ତି। ସମ୍ପ୍ରତି ଅନ୍‌ଲାଇନ୍‌ରେ ବିଦେଶୀ ବିରୋଧୀ ମନୋଭାବ କଳ୍ପନାତୀତ ଭାବେ ବଢ଼ିଚାଲିବା ସହ ରାସ୍ତାଘାଟରେ ଇହୁଦୀମାନଙ୍କ ବିରୋଧରେ ଷଡ଼ଯନ୍ତ୍ର ହେବାରେ ଲାଗିଛି। ସେହିପରି କୋଭିଡ୍–୧୯ ସହ ଜଡି଼ତ ମୁସ୍‌ଲିମ୍ ବିରୋଧୀ ଆକ୍ରମଣ ମଧ୍ୟ ଘଟିଚାଲିଛି। ଦାଦନ, ଯାଯାବର ଏବଂ ଶରଣାର୍ଥୀମାନଙ୍କୁ କରୋନାଭୂତାଣୁର ଉତ୍ସ ଭାବେ ପରିଗଣନା କରାଯାଇ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧାରୁ ବ‌ଂଚିତ କରାଯାଉଛି ବୋଲି ଗୁଟର୍ସ କ୍ଷୋଭ ପ୍ରକାଶ କରିଛନ୍ତି।

ସେହିପରି ବୟୋଜ୍ୟେଷ୍ଠମାନେ ଏହି ଘାତକ କରୋନା ଭୂତାଣୁ ପ୍ରତି ବେଶି ସଂକ୍ରମଣପ୍ରବଣ ହୋଇଥିବାରୁ ସେମାନଙ୍କ ଚିକିତ୍ସା ବ୍ୟୟସାପେକ୍ଷ କହାଯାଉଛି। ସମ୍ବାଦଦାତା, ସ୍ବାସ୍ଥ୍ୟକର୍ମୀ, ସ୍ବେଚ୍ଛାସେବୀ, ମାନବାଧିକାର କର୍ମୀ ଓ ଦୋଷଦର୍ଶୀମାନଙ୍କୁ ସେମାନଙ୍କ ମହତ୍ କାମ ପାଇଁ ନିଶାଣ କରାଯାଉଛି। ତେଣୁ ଏଭଳି ଅନାହୂତ ସାମାଜିକ ସ୍ଥିତିରେ ରାଜନେତାମାନେ ଲୋକଙ୍କ ସହ ମିଶି କାମ କରିବାକୁ ପଡି଼ବ। ଏହି ମଉକାରେ ନିରାଶାରେ ଥିବା ସାଧାରଣ ଜନତାଙ୍କୁ କାବୁ କରି କଠୋରପନ୍ଥୀମାନେ ସେମାନଙ୍କ ପ୍ରଭାବ ବିସ୍ତାର କରିବାକୁ ଆଗେଇ ଆସିବା ବିଚିତ୍ର ନୁହେଁ। ତେବେ ଆବଶ୍ୟକ ଶିକ୍ଷା ଓ ସଚେତନତା ମାଧ୍ୟମରେ ତାହାକୁ ପ୍ରତିହତ କରିବାକୁ ହେବ। ଯିଏ ଯେତେ ପ୍ରଭାବଶାଳୀ ହେଲେ ବି, ଯିଏ ଯେତେ ବିଳାସ ବ୍ୟସନରେ ଥିଲେ ବି ଏବଂ ଯିଏ ଯେଉଁ ଧର୍ମରେ ବିଶ୍ବାସ କରୁଥିଲେ ବି ଏହି ଦୁଃସାଧ୍ୟ ରୋଗ କାହାକୁ କେବେ ଖାତିର କରେନାହିଁ। ତେବେ ସର୍ବୋପରି ଯିଏ ବି ଯେଉଁଠି ଯେମିତି ରହିଛି, କୋଭିଡ୍ ଆଣିଥିବା ଘୃଣା ବିରୋଧରେ ସ୍ବର ଉେତ୍ତାଳନ କରିବା ସହ ପ୍ରତ୍ୟେକଙ୍କୁ ସମ୍ମାନର ସହ ଗ୍ରହଣ କରି ପରସ୍ପର ମଧ୍ୟରେ ଦୟାଭାବ ବଜାୟ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର