ଖରାପ ହେଉଛି କଙ୍ଗୋ ପରିସ୍ଥିତି : ଜାତିସଂଘ ଶାନ୍ତିସୈନିକଙ୍କ ଗୁଳିରେ ୨ ନିହତ

ନୂଆଦିଲ୍ଲୀ : ଗୃହଯୁଦ୍ଧର ସମ୍ମୁଖୀନ ହେଉଥିବ ଆଫ୍ରିକୀୟ ଦେଶ କଙ୍ଗୋରେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ସେଠାରେ ଶାନ୍ତି ରକ୍ଷା ପାଇଁ ଯାଇଥିବା ଜାତିସଂଘ ଶାନ୍ତିସେନା ବିରୋଧରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଗତ ସପ୍ତାହରେ ସେଠାରେ ମୁତୟନ ଥିବା ଦୁଇ ଭାରତୀୟ ସୈନିକ ମୃତ୍ୟୁବରଣ କରିବା ପରେ ଆଜି (ସୋମବାର) ଆଉ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ଦୁଇଜଣ ଜାତିସଂଘ ଶାନ୍ତି ସୈନ୍ୟ ପୂର୍ବ କଙ୍ଗୋରେ ଥିବା ଏକ ସୀମା ଚୌକି ଉପରକୁ ଗୁଳି ଚଳାଇଛନ୍ତି । ଏହା ଫଳରେ ଘଟଣାସ୍ଥଳରେ ୨ ଜଣ ଲୋକ ମୃତ୍ୟୁବରଣ କରିବା ସହ ୧୫ ଜଣ ଆହତ ହୋଇଥିବା ଜଣାଯାଇଛି । କେଉଁ କାରଣରୁ ସେମାନେ ସୀମା ଚୌକିରେ ମୁତୟନ ଥିବା ଲୋକମାନଙ୍କ ଉପରକୁ ଗୁଳି ଚଳାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ । କଙ୍ଗୋ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଏଟାରେସ ଏହି ଘଟଣାକୁ ନିନ୍ଦା କରିଛନ୍ତି ।

ଗତ ବୁଧବାରଦିନ କଙ୍ଗୋରେ ହିଂସ୍ର ଜନତାଙ୍କ ଆକ୍ରମଣରେ ୩ ଜଣ ଜାତିସଂଘ ଶାନ୍ତିସୈନ୍ୟ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ସୈନ୍ୟ ଥିଲେ । ସହିଦ ଭାରତୀୟ ସୈନିକମାନେ ବିଏସଏଫ ଯବାନ ଥିଲେ । ସହିଦ ଯବାନ ଦ୍ବୟଙ୍କ ନାମ ଶିଶୁପାଳ ସିଂ ଏବଂ ସାଓ୍ବଲା ରାମ ବିଷ୍ଣୋଇ ଓ ସେମାନଙ୍କ ଘର ରାଜସ୍ଥାନରେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର